ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଥିବା ଜଣେ ୩୫ ବର୍ଷୀୟ ଯୁବକ ଡାକ୍ତରଖାନା କୋଠାର ଚତୁର୍ଥ ମହଲାରୁ ତଳକୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମୃତ ଯୁବକ ଜଣଙ୍କ ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ଗାନ୍ଧୀ ମନ୍ଦିର ରୋଡ୍ ଅଞ୍ଚଳର ମନୋଜ ଦେହୁରୀ ବୋଲି ଚିହ୍ନଟ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ବାତ ଏବଂ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା କାରଣରୁ ଦୁଇ ଦିନ ପୂର୍ବେ ମନୋଜଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ସେ ହଠାତ୍ ଚତୁର୍ଥ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। କେଉଁ କାରଣରୁ ସେ ଏଭଳି ଚରମ ପଦକ୍ଷେପ ନେଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।
ଘଟଣା ଘଟିବା ମାତ୍ରେ ଡାକ୍ତରଖାନା ପରିସରରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ଗୁରୁତର ଅବସ୍ଥାରେ ମନୋଜଙ୍କୁ ଉଦ୍ଧାର କରି ଓପିଡି (OPD) କୁ ନେଇଯାଇଥିଲେ। ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ସୁରକ୍ଷାକର୍ମୀ ମୁତୟନ ଥିବା ସତ୍ତ୍ୱେ ଜଣେ ଚିକିତ୍ସାଧୀନ ରୋଗୀ କିପରି ଚତୁର୍ଥ ମହଲା ପର୍ଯ୍ୟନ୍ତ ପହଞ୍ଚିଲେ ଏବଂ ଏଭଳି ପଦକ୍ଷେପ ନେଲେ, ସେନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଖବର ପାଇ ଢେଙ୍କାନାଳ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଡାକ୍ତରଖାନାର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ସହ ପରିବାର ଲୋକେ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।




