ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ ଲୋମହର୍ଷଣକାରୀ ଏବଂ ଚାଞ୍ଚଲ୍ୟକର ଡକାୟତି ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ୫ ଜଣ ସଶସ୍ତ୍ର ଡକାୟତ ଏକ ଘରେ ପଶି ପରିବାର ସଦସ୍ୟଙ୍କୁ ପ୍ରାୟ ୪ ଘଣ୍ଟା ଧରି ବନ୍ଧକ ରଖିବା ସହ ନଗଦ ୨୫ ଲକ୍ଷ ଟଙ୍କା ଏବଂ ୪୦୦ ଗ୍ରାମରୁ ଅଧିକ ଓଜନର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏହି ଘଟଣା ପରେ ସମଗ୍ର ଜୟପୁର ସହରରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ଟାଉନ୍ ଅନ୍ତର୍ଗତ ଲିଙ୍ଗରାଜ ନଗରରେ ରହୁଥିବା ସତ୍ୟନାରାୟଣ ଦଳେଇଙ୍କ ଘରେ ଶୁକ୍ରବାର ରାତିରେ ଏହି ବଡ଼ ଧରଣର ଲୁଟ୍ ହୋଇଛି। ରାତି ସମୟରେ ୫ ଜଣ ଦୁର୍ବୃତ୍ତ ଆସି ସତ୍ୟନାରାୟଣଙ୍କ ଘର କବାଟ ବାଡ଼େଇଥିଲେ। କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କୁ କାବୁ କରିନେଇଥିଲେ ଏବଂ ତାଙ୍କର ହାତ ଓ ଗୋଡ଼କୁ ଦଉଡ଼ିରେ ବାନ୍ଧି ଦେଇଥିଲେ।

ଡକାୟତମାନଙ୍କ ହାତରେ ଖଣ୍ଡା ଏବଂ ଅନ୍ୟାନ୍ୟ ଧାରୁଆ ମାରଣାସ୍ତ୍ର ଥିଲା। ସେମାନେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଘରର ଆଲମାରି ଓ ଲକର୍ ଭାଙ୍ଗି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ପ୍ରାୟ ୪ ଘଣ୍ଟା ଧରି ଘର ଭିତରେ ରହି ଆତଙ୍କରାଜ ଚଳାଇବା ପରେ ସେମାନେ ନଗଦ ୨୫ ଲକ୍ଷ ଟଙ୍କା ଏବଂ ୪୦୦ ଗ୍ରାମରୁ ଅଧିକ ସୁନା ଗହଣା ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଘର ଭିତରେ ଏତେ ପରିମାଣର ନଗଦ ଟଙ୍କା ଓ ସୁନା ଥିବା ସମ୍ପର୍କରେ ଦୁର୍ବୃତ୍ତମାନେ ଆଗରୁ ଜାଣିଥିବା ଏବଂ ଡକାୟତି ପୂର୍ବରୁ ଅଞ୍ଚଳରେ ଭଲ ଭାବେ ରେକି କରିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଖବର ପାଇ ଜୟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ଏବଂ ଧରିବା ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଉଥିବା ବେଳେ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।

ଅନ୍ୟପକ୍ଷରେ, ସହରର ଜନବସତିପୂର୍ଣ୍ଣ ଅଞ୍ଚଳରେ ୪ ଘଣ୍ଟା ଧରି ଏଭଳି ବଡ଼ ଧରଣର ଡକାୟତି ଘଟିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାତି ସମୟରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଢିଲା ଥିବା ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି।