ଭୁବନେଶ୍ୱର: ଓଡ଼ିଶା ବିଧାନସଭାର କାର୍ଯ୍ୟଧାରା, ନିୟମାବଳୀ, ପ୍ରକ୍ରିୟା ଏବଂ ଗୃହ ପରିଚାଳନା ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଇବା ପାଇଁ ଆସନ୍ତା ନଭେମ୍ବର ୧୬ ତାରିଖରେ ଏକ ସ୍ୱତନ୍ତ୍ର ଓରିଏଣ୍ଟେସନ୍ ବା ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରବିବାର ଦିନ ବାଚସ୍ପତି ସୁରମା ପାଢ଼ୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ।

ବାଚସ୍ପତି ସୁରମା ପାଢ଼ୀଙ୍କ ସୂଚନା ଅନୁଯାୟୀ, ଉପରାଷ୍ଟ୍ରପତିଙ୍କ ବ୍ୟତୀତ ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନ ରେ ଯୋଗଦେବା ପାଇଁ ସହମତି ପ୍ରକାଶ କରିଛନ୍ତି। ବିଧାନସଭାର ବୈଷୟିକ ଏବଂ ରାଜନୈତିକ ଦିଗ, ଆଇନ ପ୍ରଣୟନ ପ୍ରକ୍ରିୟା ଏବଂ ଗୃହର କାର୍ଯ୍ୟବିଧି ସମ୍ପର୍କରେ ବିଧାୟକମାନଙ୍କୁ ବିସ୍ତୃତ ଭାବେ ଜ୍ଞାନ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ବାଚସ୍ପତି କହିଛନ୍ତି ଯେ ଉଦଘାଟନୀ ଅଧିବେଶନ ଶେଷ ହେବା ପରେ ପ୍ରଥମ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ। ଏହାପରେ ମଧ୍ୟାହ୍ନ ଭୋଜନ ବିରତି ରହିବ। ବିରତି ପରେ ଦ୍ୱିତୀୟ ପୂର୍ଣ୍ଣାଙ୍ଗ ଅଧିବେଶନ ବସିବ, ଯେଉଁଥିରେ ବିଶେଷ କରି ବଜେଟ୍ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯିବ। ଏହାଦ୍ୱାରା ବିଧାୟକମାନେ ଗୃହରେ ବଜେଟ୍ ଆଲୋଚନା ସମୟରେ ନିଜର ମତାମତ ଓ ପ୍ରଶ୍ନକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିପାରିବେ।

ଅନ୍ୟପକ୍ଷରେ, ସପ୍ତଦଶ ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନ ତଥା ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ନଭେମ୍ବର ୧୭ ତାରିଖରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି। ଏହା ସହିତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ନିଜ ନିଜ ଦଳର ବିଧାୟକମାନଙ୍କୁ ନେଇ ପୃଥକ ଭାବେ ବୈଠକ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।