କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଘଟିଥିବା ଭୟଙ୍କର ଭୂସ୍ଖଳନ ପରେ ନିଖୋଜ ହୋଇଯାଇଥିବା ଜଣେ ସ୍କୁଲ ଶିକ୍ଷକ ଶନିବାର ଦିନ ଏକ ଚମତ୍କାର ଭାବେ ଜୀବିତ ଉଦ୍ଧାର ହୋଇଛନ୍ତି। ପାହାଡ଼ ତଳେ ଥିବା ଏକ ଗଭୀର ଖାଲରେ ଖସିପଡ଼ିବା ପରେ ଦୀର୍ଘ ୧୪ ଦିନ ଧରି ସେ ସେଠାରେ ଫସି ରହିଥିଲେ। ଏହି କଠିନ ପରିସ୍ଥିତିରେ କେବଳ କାଦୁଅ ପାଣି ପିଇ ସେ ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିବା ଜଣାପଡ଼ିଛି।

ଉଦ୍ଧାର ହୋଇଥିବା ଶିକ୍ଷକଙ୍କ ନାମ ମୋହନ ମହାରଣା ଏବଂ ସେ ରାଇକିଆ ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରଗଡ଼ ପଞ୍ଚାୟତର ଏକ ବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଡଙ୍ଗାସି ଗ୍ରାମ ନିକଟସ୍ଥ ଏକ ଖାଲ ଭିତରେ ସେ ଫସି ରହିଥିଲେ। ଶନିବାର ଦିନ ଜଣେ ଗାଈ ଚରାଳି ନିଜ ଗାଈପଲଙ୍କୁ ଚରାଇବା ପାଇଁ ସେହି ଅଞ୍ଚଳକୁ ଯାଇଥିବା ବେଳେ ଖାଲ ଭିତରୁ ଏକ କ୍ଷୀଣ ଚିତ୍କାର ଶୁଣିବାକୁ ପାଇଥିଲେ। ସେ ନିକଟକୁ ଯାଇ ଦେଖିବା ବେଳକୁ ମୋହନ ସେଠାରେ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଗାଈ ଚରାଳି ଜଣଙ୍କ ତୁରନ୍ତ ଗ୍ରାମବାସୀଙ୍କୁ ଏ ବିଷୟରେ ଖବର ଦେଇଥିଲେ।

ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଖାଲ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହାପରେ ଗ୍ରାମବାସୀମାନେ ଏକ ଅସ୍ଥାୟୀ ଷ୍ଟ୍ରେଚର (ବାଉଁଶ ଭାର) ପ୍ରସ୍ତୁତ କରି ତାଙ୍କୁ ପ୍ରାୟ ୧୮ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହି ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୀର୍ଘ ଦିନ ଧରି ଭୋକଉପାସରେ ରହିବା ଏବଂ କାଦୁଅ ପାଣି ପିଇବା କାରଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୨୯ ତାରିଖ ରାତିରେ ଲଗାଣ ବର୍ଷା ଯୋଗୁଁ ଡଙ୍ଗାସି ଗ୍ରାମରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଥିଲା, ଯେଉଁଥିରେ ପୂରା ଗାଁ ମାଟିରେ ମିଶିଯାଇଥିଲା। ପାହାଡ଼ ଧସିବା ଦେଖି ଗ୍ରାମବାସୀ ଜୀବନ ବଞ୍ଚାଇବା ପାଇଁ ନିକଟସ୍ଥ ଡୁବା ଗ୍ରାମ ଆଡ଼କୁ ଦୌଡ଼ି ପଳାଇଥିଲେ। ସେହି ସମୟରେ ମୋହନ ମହାରଣା ଡଙ୍ଗାସି ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଅନ୍ଧାର ଯୋଗୁଁ ପାହାଡ଼ ନିକଟସ୍ଥ ଏକ ଖାଲରେ ଖସିପଡ଼ିଥିଲେ।

ଆଖପାଖରେ କେହି ନଥିବାରୁ ତାଙ୍କର ଚିତ୍କାର କାହା କାନରେ ପଡ଼ିନଥିଲା। ପରଦିନ ଲଗାତାର ପ୍ରବଳ ବର୍ଷାରେ ଭିଜିବା ଯୋଗୁଁ ତାଙ୍କର ସ୍ୱର କ୍ଷୀଣ ହୋଇଯାଇଥିଲା, ଫଳରେ ସେ ସାହାଯ୍ୟ ପାଇଁ ଡାକିବାକୁ ଅସମର୍ଥ ହୋଇପଡ଼ିଥିଲେ। ଘଞ୍ଚ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାରୁ ପରବର୍ତ୍ତୀ ଦିନଗୁଡ଼ିକରେ କାହାର ନଜର ତାଙ୍କ ଉପରେ ପଡ଼ିନଥିଲା। ଅନ୍ୟପଟେ, ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ରାଇକିଆ ଥାନାରେ ନିଖୋଜ ଏତଲା ଦେଇଥିଲେ। ପୋଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା। ଶେଷରେ ୧୪ ଦିନ ପରେ ତାଙ୍କର ଜୀବିତ ଉଦ୍ଧାର ହେବା ଘଟଣା ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି।