ୱାସିଂଟନ୍: ହ୍ୟୁଷ୍ଟନ ନିକଟସ୍ଥ ଏକ ମନ୍ଦିର ପୋଖରୀ ହେଉ କିମ୍ବା କାଲିଫର୍ନିଆର ଏକ ହ୍ରଦ ଅଥବା ୱାସିଂଟନ୍ ଉପକଣ୍ଠ ଭର୍ଜିନିଆରେ ପ୍ରବାହିତ ପୋଟୋମାକ୍ ନଦୀ କୂଳ ଉତ୍ତର ଆମେରିକାର ଏହି ସବୁ ଜଳାଶୟ ଏବେ ପ୍ରବାସୀ ଭାରତୀୟଙ୍କ ପାଇଁ ନିଜ ମାଟିର ପରମ୍ପରାକୁ ବଞ୍ଚାଇ ରଖିବାର କେନ୍ଦ୍ରବିନ୍ଦୁ ପାଲଟିଛି। ଆମେରିକା ଏବଂ କାନାଡାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ପରିବାରମାନେ ଏକତ୍ରିତ ହୋଇ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ମହାଆଡ଼ମ୍ବରରେ ଛଠ୍ ପୂଜା ପାଳନ କରୁଛନ୍ତି। ପରିବେଶ ବିଦେଶୀ ହୋଇଥିଲେ ମଧ୍ୟ ଆୟୋଜକମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜ ଦେଶର ରୀତିନୀତିକୁ ଜୀବନ୍ତ ରଖିବା ଏବଂ ପରବର୍ତ୍ତୀ ପିଢ଼ିକୁ ଏହି ସଂସ୍କୃତି ସହ ଯୋଡ଼ିବା।
ହ୍ୟୁଷ୍ଟନ ନିକଟସ୍ଥ ରୋଜେନବର୍ଗ ସ୍ଥିତ ଜଗନ୍ନାଥ ହିନ୍ଦୁ ମନ୍ଦିର ପୋଖରୀରେ ପରିବାର, ଦାତା ଏବଂ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଛଠ୍ ପୂଜାର ଆୟୋଜନ କରାଯାଇଛି। ଆୟୋଜକଙ୍କ ସୂଚନା ଅନୁଯାୟୀ, ଛଅ ଜଣ ବୈଜ୍ଞାନିକ ଏହି ଉତ୍ସବରେ ଯୋଗଦେଉଥିବା ପରିବାରଗୁଡ଼ିକ ପାଇଁ ଖାଦ୍ୟର ପ୍ରାୟୋଜକ ହେବା ସହ ନିଜେ ରୋଷେଇ କରି ପରଷି ଦେଉଛନ୍ତି। ଅନ୍ୟ ସ୍ୱେଚ୍ଛାସେବୀମାନେ ପାର୍କିଂ, ସଫେଇ ଏବଂ ଅତିଥି ସତ୍କାର ଦାୟିତ୍ୱ ତୁଲାଉଛନ୍ତି।
ସେହିପରି ୱାସିଂଟନ୍ ଅଞ୍ଚଳର ଭର୍ଜିନିଆ ସ୍ଥିତ ପୋଟୋମାକ୍ ନଦୀ କୂଳରେ ଗତ ଦୁଇ ଦଶନ୍ଧି ଧରି ଛଠ୍ ପୂଜା ପାଳିତ ହୋଇଆସୁଛି। ୨୦୦୬ ମସିହାରେ କୃପା ଶଙ୍କର ସିଂହ ଏବଂ ତାଙ୍କ ପତ୍ନୀ ଅନିତା ସିଂହ ଏକ ପରିବାରିକ ଉତ୍ସବ ଭାବେ ଏହା ଆରମ୍ଭ କରିଥିଲେ, ଯାହା ଆଜି ଶହ ଶହ ପ୍ରବାସୀ ଭାରତୀୟଙ୍କୁ ଏକାଠି କରୁଛି। ବିଦେଶ ମାଟିରେ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ଅନିତା ସିଂହ କହିଛନ୍ତି।
ନ୍ୟୁ ଜର୍ସିରେ ‘ବିହାର-ଝାଡ଼ଖଣ୍ଡ ଆସୋସିଏସନ୍ ଅଫ୍ ନର୍ଥ ଆମେରିକା’ ପକ୍ଷରୁ ଆୟୋଜିତ ଉତ୍ସବରେ ବ୍ରତଧାରୀଙ୍କ ସମେତ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁମାନଙ୍କୁ ସ୍ୱାଗତ କରାଯାଇଛି। ଘରଠାରୁ ଦୂରରେ ଥାଇ ମଧ୍ୟ ପରମ୍ପରାକୁ ଜୀବନ୍ତ ରଖିବା ଏହି ସମାଗମର ମୂଳ ଲକ୍ଷ୍ୟ। ଅନ୍ୟପଟେ, କାଲିଫର୍ନିଆର ସିଲିକନ୍ ଭ୍ୟାଲି ନିକଟସ୍ଥ ଫ୍ରେମଣ୍ଟରେ ‘କ୍ୱାରି ଲେକ୍ସ ଛଠ୍’ ଏବଂ ରାନ୍ଚୋ ସାଣ୍ଟା ମାର୍ଗାରିଟାର ‘ଓସୋ ଲେକ୍ ସ୍କାଉଟ୍ କ୍ୟାମ୍ପ’ରେ ପରିବାର ଓ ପିଲାମାନଙ୍କୁ ସାମିଲ କରାଯାଇ ପ୍ରାକୃତିକ ପରିବେଶ ମଧ୍ୟରେ ଛଠ୍ ପୂଜା ପାଳନ କରାଯାଉଛି। ଏହାଦ୍ୱାରା ନୂଆ ପିଢ଼ି ନିଜ ସାଂସ୍କୃତିକ ମୂଳ ସହ ଯୋଡ଼ି ହୋଇପାରୁଛନ୍ତି।
ଏହା ବ୍ୟତୀତ ମେରିଲ୍ୟାଣ୍ଡର ହିନ୍ଦୁ ବୁଦ୍ଧ ମନ୍ଦିର, ଜର୍ଜିଆର ଶିବ ମନ୍ଦିର ଏବଂ ସିଆଟେଲ ନିକଟସ୍ଥ ବୋଥେଲ ହିନ୍ଦୁ ମନ୍ଦିରରେ ମଧ୍ୟ ସାମୂହିକ ଛଠ୍ ପୂଜା ଅନୁଷ୍ଠିତ ହେଉଛି। କାନାଡାର ଓଣ୍ଟାରିଓ ସ୍ଥିତ ଓକଭିଲର ବୈଷ୍ଣୋ ଦେବୀ ମନ୍ଦିରରେ ‘ବିହାର ଆଣ୍ଡ ଝାଡ଼ଖଣ୍ଡ ଆସୋସିଏସନ୍ ଅଫ୍ କାନାଡା’ ପକ୍ଷରୁ ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗୋଷ୍ଠୀଗତ ସହାୟତା ଓ ଦାନ ମାଧ୍ୟମରେ ଏଠାରେ ତିନି ଦିନ ଧରି ମାଗଣା ପୂଜା, ପ୍ରସାଦ ଏବଂ ଭୋଜନର ବ୍ୟବସ୍ଥା କରାଯାଇଛି।




