ପାଟନା: ଛଠ୍ ପୂଜାର ଉତ୍ସବ ମଧ୍ୟରେ ବିହାରର ପାଟନାରେ ଘଟିଛି ଅଭାବନୀୟ ଘଟଣା। ଗଙ୍ଗା ନଦୀରେ ବୁଡ଼ି ଚାରି ଜଣ ଯୁବକ ନିଖୋଜ ହୋଇଯାଇଥିବା ଖବର ମିଳିଛି। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ତିନି ଜଣଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ପାଟନାର ମିର୍ଜାପୁର ଘାଟରେ ରବିବାର ଏହି ଘଟଣା ଘଟିଛି।
ଗଭୀର ପାଣିକୁ ଚାଲିଯିବାରୁ ଅଘଟଣ
ସୂଚନା ଅନୁସାରେ, ଛଠ୍ ପୂଜା ଅବସରରେ ଚାରି ଜଣ ଯୁବକ ଗଙ୍ଗା ନଦୀକୁ ସ୍ନାନ କରିବା ଓ ପୂଜା ପ୍ରସ୍ତୁତି ପାଇଁ ଯାଇଥିଲେ। ଏହି ସମୟରେ ସେମାନେ ନଦୀର ଗଭୀର ଜଳକୁ ଚାଲିଯାଇଥିଲେ। ଫଳରେ ଚାରି ଜଣ ଯାକ ବୁଡ଼ିବାକୁ ଲାଗିଥିଲେ। ଏହା ଦେଖି ଘାଟରେ ଉପସ୍ଥିତ ଲୋକେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି।
ତିନି ନିଖୋଜଙ୍କୁ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ
ଘଟଣା ପରେ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘାଟରେ ପହଞ୍ଚିଥିଲେ। ନିଖୋଜ ତିନି ଜଣଙ୍କୁ ଖୋଜିବା ପାଇଁ ଗୋତାଖୋରଙ୍କ ସହାୟତାରେ ନଦୀରେ ତଲାସୀ ଅଭିଯାନ ଚାଲିଛି। SDRFର ସ୍ୱତନ୍ତ୍ର ଦଳ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ରିପୋର୍ଟରେ କୁହାଯାଇଛି।
ଘଟଣା ପରେ ଘାଟରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ନିଖୋଜ ଯୁବକଙ୍କ ପରିବାର ଲୋକେ ମଧ୍ୟ ଘାଟରେ ପହଞ୍ଚିଛନ୍ତି। ସେମାନଙ୍କ ସନ୍ଧାନ ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି।




