ଥାଇଲାଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଫୁକେଟ୍‌ର ପାଟୋଙ୍ଗ ଅଞ୍ଚଳରେ ସୋମବାର ଭୋରରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ କୌଣସି ପର୍ଯ୍ୟଟକ ନଥିବା ପୁଲିସ ସ୍ପଷ୍ଟ କରିଛି।

ସ୍ଥାନୀୟ ସମୟ ଭୋର ପ୍ରାୟ ୩ଟା ୧୭ ମିନିଟ୍‌ରେ ଏକ ବ୍ୟବସାୟିକ କୋଠାରେ ନିଆଁ ଲାଗିଥିଲା। ଏଠାରେ ଗାଡ଼ି ଭଡ଼ା ବ୍ୟବସାୟ ଚାଲୁଥିବାବେଳେ ନିଆଁ ଦ୍ରୁତଗତିରେ ପାଖରେ ଥିବା ଅନ୍ୟ କୋଠାଗୁଡ଼ିକୁ ବ୍ୟାପିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲା।

ପୁଲିସର ସୂଚନା ଅନୁସାରେ, ଆହତ ୧୬ ଜଣଙ୍କ ମଧ୍ୟରୁ ୧୫ ଜଣ ଥାଇଲାଣ୍ଡର ନାଗରିକ ଏବଂ ଜଣେ ମ୍ୟାଁମାରର ନାଗରିକ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ତଦନ୍ତରେ କୋଠା ନିକଟରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।