ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ତଥା ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ବିସ୍କୁଟ ଚୋରି ସନ୍ଦେହରେ ଜଣେ ୧୩ ବର୍ଷୀୟ ନାବାଳକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ଦୋକାନ ମାଲିକ ଏବଂ ତାଙ୍କ ପୁଅକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୀଳଗିରି ତେନ୍ତୁଳି ବଜାରରେ ଏକ ଭେରାଇଟି ଷ୍ଟୋର ଚଳାଉଥିବା ୬୨ ବର୍ଷୀୟ ସନ୍ତୋଷ ବେହେରା ଏବଂ ତାଙ୍କ ୩୫ ବର୍ଷୀୟ ପୁଅ ମାନସ ବେହେରା।
ମୃତ ନାବାଳକ ଜଣକ ନୀଳଗିରି ବ୍ଲକ୍ ତେନ୍ତୁଳିଆ ଗ୍ରାମର ଦିନେଶ ବାଗସିଂହ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ଦୋକାନ ପଛପଟେ ଥିବା ଏକ ନିର୍ମାଣାଧୀନ ଘର ଭିତରୁ ଦିନେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ନ୍ୟାୟ ଦାବିରେ ମୃତକଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ନାବାଳକଙ୍କ ମୃତଦେହ ରଖି ପ୍ରାୟ ୧୨ ଘଣ୍ଟା ଧରି ଧାରଣା ଦେଇଥିଲେ। ପରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ରବିବାର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିନା ଅନୁମତିରେ ଗୋଟିଏ ପ୍ୟାକେଟ୍ ବିସ୍କୁଟ ଖାଇଦେଇଥିବାରୁ ଦିନେଶଙ୍କୁ ଦୋକାନ ଭିତରେ ଅଟକ ରଖି ଅମାନୁଷିକ ଭାବେ ମାଡ଼ ମରାଯାଇଥିଲା। ଏହି ମାଡ଼ରେ ଗୁରୁତର ଆହତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।ମୃତକଙ୍କ ଜଣେ ସମ୍ପର୍କୀୟଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ତେନ୍ତୁଳି ବଜାର ସ୍ଥିତ ସନ୍ତୋଷ କୁମାର ବେହେରାଙ୍କ ଦୋକାନର ତାଲା ଭାଙ୍ଗି ସିସିଟିଭି (CCTV) ଫୁଟେଜ୍ ଥିବା ହାର୍ଡ ଡିସ୍କ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଘଟଣାସ୍ଥଳ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିଛନ୍ତି। ଉଭୟ ବାପ-ପୁଅଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।




