ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ପାଇଁ ରାଜଧାନୀ ଭୁବନେଶ୍ୱରରେ ଅଭେଦ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ୧୭ତମ ବିଧାନସଭାର ୮ମ ଅଧିବେଶନ ପାଇଁ ସମଗ୍ର ବିଧାନସଭା ପରିସର ଓ ଏହାର ଆଖପାଖ ଅଞ୍ଚଳରେ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଏହି ସୂଚନା ଦେଇଛନ୍ତି।
କୌଣସି ପ୍ରକାର ଆତଙ୍କବାଦୀ ଆକ୍ରମଣ କିମ୍ବା ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ସ୍ପେଶାଲ୍ ଟାକ୍ଟିକାଲ୍ ୟୁନିଟ୍ (STU) କମାଣ୍ଡୋମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି। ଏହାସହିତ ବିଧାନସଭାର ସୁରକ୍ଷା ପାଇଁ ଡ୍ରୋନ୍ ମଧ୍ୟ ନିୟୋଜିତ କରାଯିବ। ଯଦି କୌଣସି ସମୟରେ ଆନ୍ଦୋଳନକାରୀଙ୍କ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଏ, ତେବେ ଡ୍ରୋନ୍ ମାଧ୍ୟମରେ ଆକାଶମାର୍ଗରୁ ନଜର ରଖାଯିବ। ଆଜିଠାରୁ ବିଧାନସଭା ଭିତରେ ଓ ବାହାରେ ସୁରକ୍ଷା ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି।
ସୂଚନା ଅନୁଯାୟୀ, ବିସ୍ଫୋରକ ସାମଗ୍ରୀର ଯାଞ୍ଚ ପାଇଁ ସ୍ନିଫର୍ ଡଗ୍ ଏବଂ ବମ୍ ସ୍କ୍ୱାଡ୍ ବିଧାନସଭାର ପ୍ରତିଟି କୋଣ ଅନୁକୋଣକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି। ବିଧାନସଭାକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବ୍ୟାରିକେଡିଂ କରାଯାଉଛି। ବିଧାନସଭା ଚତୁଃପାର୍ଶ୍ୱ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯିବା ସହ କେବଳ ଅନୁମତିପ୍ରାପ୍ତ ଗାଡ଼ିଗୁଡ଼ିକୁ ହିଁ ପ୍ରବେଶ ଅନୁମତି ମିଳିବ।
ଅଧିବେଶନ ସମୟରେ ସୁଗମ ଯାତାୟାତ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ଦ୍ୱାରର ବ୍ୟବସ୍ଥା କରାଯାଇଛି ବିଧାୟକ ଓ ମନ୍ତ୍ରୀମାନଙ୍କ ପାଇଁ ଗୋଟିଏ ଦ୍ୱାର, ସାମ୍ବାଦିକମାନଙ୍କ ପାଇଁ ଅନ୍ୟ ଏକ ଦ୍ୱାର ଏବଂ ବାଚସ୍ପତିଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରବେଶ ଦ୍ୱାର ନିର୍ଦ୍ଧାରିତ ହୋଇଛି। ବିଧାନସଭାର ଗଠନ ଓ ଆଖପାଖ ପରିବେଶକୁ ଦୃଷ୍ଟିରେ ରଖି କୋଠାଗୁଡ଼ିକର ଛାତ ଉପରେ ମଧ୍ୟ ସୁରକ୍ଷାକର୍ମୀ ମୁତୟନ ରହିବେ। ପ୍ରତିଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଡଗ୍ ସ୍କ୍ୱାଡ୍ ଏବଂ ଆଣ୍ଟି-ସାବୋଟେଜ୍ ଟିମ୍ ଦ୍ୱାରା ସମ୍ପୂର୍ଣ୍ଣ କୋଠା ଯାଞ୍ଚ କରାଯିବ। ଏହା ବ୍ୟତୀତ ଧାରଣାସ୍ଥଳରେ ଆଇନକୁ ହାତକୁ ନେଉଥିବା ବ୍ୟକ୍ତିଙ୍କୁ ଅଟକ ରଖିବା ପାଇଁ ପୋଲିସ ରିଜର୍ଭ ପଡ଼ିଆରେ ଏକ ଅସ୍ଥାୟୀ ଅଟକ କେନ୍ଦ୍ର ପ୍ରତିଷ୍ଠା କରାଯିବ।
ବିଧାନସଭା ଚାରିପାଖରେ ତିନୋଟି କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯିବ। ଆଇଜି ପାର୍କ ପାର୍ଶ୍ୱରୁ ମହାତ୍ମା ଗାନ୍ଧୀ ମାର୍ଗରେ ଏକ ୟୁନିଫାଏଡ୍ କଣ୍ଟ୍ରୋଲ ରୁମ୍ ଖୋଲାଯିବ, ଯେଉଁଠାରୁ ସିସିଟିଭି କ୍ୟାମେରା ମାଧ୍ୟମରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯିବ। ସେହିପରି ଧାରଣାସ୍ଥଳରେ ଥିବା କଣ୍ଟ୍ରୋଲ ରୁମ୍ ଆନ୍ଦୋଳନକାରୀ ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବ।




