ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପାୟନକୁ ଆଗକୁ ବଢ଼ାଇବା ଏବଂ ରାଜ୍ୟକୁ ଦେଶର ଏକ ପ୍ରମୁଖ ଶିଳ୍ପ ହବ୍ ଭାବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲଗାତାର ପଦକ୍ଷେପ ଗ୍ରହଣ କରୁଛନ୍ତି। ନିବେଶକଙ୍କୁ ଆକୃଷ୍ଟ କରିବା ସହିତ ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା ପ୍ରକ୍ରିୟାକୁ ଅଧିକ ସରଳ ଓ ସୁଗମ କରାଯାଉଛି। ସରକାରଙ୍କ ଏହି ସକାରାତ୍ମକ ନୀତିର ପ୍ରଭାବରେ ଏବେ ଦେଶବିଦେଶର ଅନେକ ପ୍ରମୁଖ କମ୍ପାନୀ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟର ଦ୍ରୁତ ଶିଳ୍ପାୟନକୁ ନୂଆ ଗତି ଦେବା ଏବଂ ଏକ ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛି ଦେଶର ଅଗ୍ରଣୀ ଶକ୍ତି କମ୍ପାନୀ ‘ଟାଟା ପାୱାର’ । ରାଜ୍ୟରେ ଆସୁଥିବା ନୂଆ ଶିଳ୍ପ ସଂସ୍ଥାଗୁଡ଼ିକୁ ଆବଶ୍ୟକୀୟ ବିଦ୍ୟୁତ୍ ଭିତ୍ତିଭୂମି ଏବଂ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବା କ୍ଷେତ୍ରରେ ଏହି କମ୍ପାନୀ ପ୍ରମୁଖ ଭୂମିକା ଗ୍ରହଣ କରିବ।
ଶିଳ୍ପାୟନର ମୂଳଦୁଆକୁ ମଜବୁତ କରିବା ପାଇଁ ଟାଟା ପାୱାର ପକ୍ଷରୁ ‘ଗ୍ରୀଡ୍ରୁ ଗେଟ୍’ (Grid-to-Gate) ପର୍ଯ୍ୟନ୍ତ ବିଦ୍ୟୁତ୍ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ। କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ନୂତନ ଶିଳ୍ପାଞ୍ଚଳ ଏବଂ କାରଖାନାଗୁଡିକୁ ବିନା କୌଣସି ବାଧାରେ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପୁଞ୍ଜିନିବେଶ ମଧ୍ୟ କରାଯିବ। ଏହାଦ୍ୱାରା ନିବେଶକମାନେ ବିଦ୍ୟୁତ୍ ସମସ୍ୟାର ସମ୍ମୁଖୀନ ନ ହୋଇ ସହଜରେ ସେମାନଙ୍କର ଉତ୍ପାଦନ ପ୍ରକ୍ରିୟା ଆରମ୍ଭ କରିପାରିବେ।
କେବଳ ପାରମ୍ପରିକ ବିଦ୍ୟୁତ୍ ଯୋଗାଣରେ ସୀମିତ ନରହି, ଶିଳ୍ପ କ୍ଷେତ୍ରରେ ସବୁଜ ଶକ୍ତି ବା ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରକୁ ବୃଦ୍ଧି କରିବା ଉପରେ ମଧ୍ୟ ଟାଟା ପାୱାର୍ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛି। ସୌର ଶକ୍ତି ଏବଂ ଅନ୍ୟାନ୍ୟ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରକୁ ବ୍ୟାପକ ଭାବେ ପ୍ରୋତ୍ସାହନ ଦେବା ଏହାର ମୁଖ୍ୟ ଲକ୍ଷ୍ୟ। ଏହା ମାଧ୍ୟମରେ କାର୍ବନ ନିର୍ଗମନକୁ ହ୍ରାସ କରାଯାଇ ଓଡ଼ିଶାରେ ଏକ ସୁସ୍ଥ ପରିବେଶ ଏବଂ ସ୍ଥାୟୀ ଶିଳ୍ପାୟନକୁ ଆଗକୁ ବଢ଼ାଇବା ପାଇଁ କମ୍ପାନୀ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।




