ଭୁବନେଶ୍ୱର: ୧୭ତମ ଓଡ଼ିଶା ବିଧାନସଭାର ଅଷ୍ଟମ ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଆଜି ବାଚସ୍ପତି ସୂରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହର କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଥିବାବେଳେ ଶାସକ ଏବଂ ବିରୋଧୀ ଦଳର ନେତାମାନେ ଏଥିରେ ସହମତି ପ୍ରକାଶ କରିଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ନେତାଙ୍କ ଯୋଗଦାନ:

ବାଚସ୍ପତିଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। ସେହିପରି ବିରୋଧୀ ଦଳ ପକ୍ଷରୁ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ମ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ଜଡ଼ିତ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଅଧିବେଶନରେ ୫ଟି ବିଲ୍ ଆସିବାକୁ ଥିବାବେଳେ ପ୍ରଥମ ଦିନରେ ଅର୍ଥାତ୍ ନଭେମ୍ବର ୧୮ ତାରିଖ ଦ୍ୱିତୀୟାର୍ଦ୍ଧରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ।

ବିଜେଡି ଓ କଂଗ୍ରେସର ଆକ୍ରମଣାତ୍ମକ ରଣନୀତି:

ଅନ୍ୟପଟେ, ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ସେମାନେ ଗଞ୍ଜାମ ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ପ୍ରସଙ୍ଗରେ ଆଲୋଚନା ପାଇଁ ମୋସନ ଆଣିଛନ୍ତି। ଏହାସହ ଧାନ ସଂଗ୍ରହରେ ବିଳମ୍ବ, ଜାତୀୟ ପେନସନ ଏବଂ ପରିବାର କଲ୍ୟାଣ ଯୋଜନାର କେନ୍ଦ୍ରୀୟ ପାଣ୍ଠି ପ୍ରଦାନ ନ ହେବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ଗୃହରେ ଉଠାଯିବ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ମ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟା, ବେକାରୀ, ଦରଦାମ ବୃଦ୍ଧି ଏବଂ କୋଟିଆ ସୀମା ବିବାଦ ଭଳି ପ୍ରସଙ୍ଗରେ ସରକାରଙ୍କୁ ଜବାବ ମଗାଯିବ। ଆଗାମୀ ଶୀତକାଳୀନ ଅଧିବେଶନେ ପ୍ରବଳ ହଙ୍ଗାମା ହେବାର ପୂର୍ବାନୁମାନ କରାଯାଉଛି।