ଭୁବନେଶ୍ୱର: ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନର ବଢ଼ୁଥିବା ପ୍ରବଣତାକୁ ରୋକିବା ସହ ଏକ ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଉଛନ୍ତି। ଏହି ଉଦ୍ଦେଶ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ନଭେମ୍ବର ୧୭ ତାରିଖରେ ‘ଉମଙ୍ଗ-୨୦୨୬’ ଯୁବ ମହୋତ୍ସବ ଆୟୋଜିତ ହେଉଛି। ଏହା ସହ ସ୍କୁଲ୍ ଓ କଲେଜରେ ନିଶା ବିରୋଧୀ ସଚେତନତା ପାଇଁ ସ୍ୱତନ୍ତ୍ର ମଡ୍ୟୁଲ୍ ପ୍ରସ୍ତୁତ କରିବା ଯୋଜନା ରହିଛି।
ଏହି ମହୋତ୍ସବରେ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆର୍ଟ ଅଫ୍ ଲିଭିଂ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସହଯୋଗରେ ଏହା ଆୟୋଜିତ ହେଉଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ମହୋତ୍ସବର ଏକ ପ୍ରମୁଖ ଆକର୍ଷଣ ହେବ ‘ୟୁଥ୍ ପ୍ଲେଜ୍ ଏଗେନ୍ଷ୍ଟ ଡ୍ରଗ୍ସ’। ଏଥିରେ ଛାତ୍ରଛାତ୍ରୀମାନେ ନିଶା ସେବନଠାରୁ ଦୂରେଇ ରହିବା ଏବଂ ନିଜ ପରିବାର, ସାଙ୍ଗସାଥୀ ଓ ସମାଜରେ ଏନେଇ ସଚେତନତା ସୃଷ୍ଟି କରିବାକୁ ସଂକଳ୍ପ ନେବେ। ଏହାସହ ଶ୍ରୀ ଶ୍ରୀ ରବିଶଙ୍କର ଯୁବପିଢ଼ିଙ୍କ ସହ ଚାପ ପରିଚାଳନା, ଆତ୍ମବିଶ୍ୱାସ, ମାନସିକ ସ୍ପଷ୍ଟତା ଓ ଜୀବନର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିବେ।
ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାର ୫୦୦ ମିଟର ପରିଧିକୁ ନିଶାମୁକ୍ତ ଜୋନ୍ ଘୋଷଣା କରିବା ନେଇ ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରୁଛନ୍ତି। ଏହା ସ୍କୁଲ୍, ଆଇଟିଆଇ, ପଲିଟେକ୍ନିକ୍, କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ସହ ଛାତ୍ରାବାସଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ।
ପ୍ରସ୍ତାବିତ ଯୋଜନା ଅନୁଯାୟୀ, ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ନିଶାମୁକ୍ତ କ୍ୟାମ୍ପସ୍ କମିଟି ଓ ମାନସିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କମିଟି ଗଠନ କରାଯିବ। ଏଥିସହ ନୋଡାଲ୍ ଅଧିକାରୀ ନିଯୁକ୍ତି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଷ୍ଟୁଡେଣ୍ଟ ଆମ୍ବାସାଡର୍ ଚୟନ କରାଯିବ। ପୁଲିସ ଓ ଅବକାରୀ ବିଭାଗ ନିୟମିତ ଯାଞ୍ଚ କରିବା ସହ ନିଶାଦ୍ରବ୍ୟ ବିକ୍ରି ଓ ବିତରଣ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ।
କେବଳ ନିୟନ୍ତ୍ରଣ ଓ ଦଣ୍ଡବିଧାନ ନୁହେଁ, ନିଶା ସେବନରେ ଅଭ୍ୟସ୍ତ ଛାତ୍ରଛାତ୍ରୀଙ୍କ ପାଇଁ କାଉନସେଲିଂ, ଚିକିତ୍ସା ଓ ନିଶାମୁକ୍ତି ପୁନର୍ବାସ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଯୋଗ, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜୀବନ କୌଶଳ ଶିକ୍ଷା ମାଧ୍ୟମରେ ଯୁବପିଢ଼ିଙ୍କୁ ସକାରାତ୍ମକ କାର୍ଯ୍ୟରେ ନିୟୋଜିତ କରିବାକୁ ମଧ୍ୟ ଯୋଜନା ରହିଛି।




