ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରିବା ସହିତ ଏମଏମଡିଆର ଆଇନରେ ହୋଇଥିବା ସଂଶୋଧନ ପ୍ରତ୍ୟାହାର ଏବଂ ବନ୍ୟା ପ୍ରପୀଡ଼ିତଙ୍କୁ ତୁରନ୍ତ ସହାୟତା ପ୍ରଦାନ ଭଳି ଏକାଧିକ ଦାବି ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ବିଶାଳ ଆନ୍ଦୋଳନର ଡାକରା ଦିଆଯାଇଛି। ଆସନ୍ତା ନଭେମ୍ବର ୨୫ ତାରିଖରେ ରାଜ୍ୟବ୍ୟାପୀ ସମାବେଶ ଏବଂ ନଭେମ୍ବର ୨୬ ତାରିଖରେ ଭୁବନେଶ୍ୱରଠାରେ ‘ସମ୍ବିଧାନ ବଞ୍ଚାଅ ପଦଯାତ୍ରା’ ଆୟୋଜନ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି।
ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଭକ୍ତ ଚରଣ ଦାସ କହିଛନ୍ତି ଯେ, ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ଦିବସ ଅବସରରେ ଘୋଷିତ ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ ଦିବସ’ ପାଳନର ଅଂଶବିଶେଷ ଭାବେ ଓଡ଼ିଶାର କୋଣ ଅନୁକୋଣରୁ କଂଗ୍ରେସ ନେତା ଓ କର୍ମୀମାନେ ନଭେମ୍ବର ୨୫ ଓ ୨୬ ତାରିଖରେ ଶୋଭାଯାତ୍ରା ଏବଂ ରାଲିରେ ସାମିଲ ହେବେ। ରାଜଧାନୀଠାରୁ ୧୦୦ ରୁ ୧୫୦ କିଲୋମିଟର ଦୂରରେ ଥିବା ଜିଲ୍ଲାଗୁଡ଼ିକର ପ୍ରତି ପଞ୍ଚାୟତରୁ କଂଗ୍ରେସ କର୍ମୀମାନେ ନଭେମ୍ବର ୨୫ ସକାଳୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଯାତ୍ରା ପଥରେ ଥିବା ସହର ଓ ଜନବସତିଗୁଡ଼ିକରେ ଶୋଭାଯାତ୍ରା କରିବା ସହ ନିର୍ଦ୍ଧାରିତ ସ୍ଥାନରେ ରାତ୍ରୀଯାପନ କରି ନଭେମ୍ବର ୨୬ ତାରିଖରେ ଭୁବନେଶ୍ୱରରେ ପହଞ୍ଚି ମୁଖ୍ୟ ପଦଯାତ୍ରାରେ ସାମିଲ ହେବେ।
ସେହିପରି ଭୁବନେଶ୍ୱରର ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରତି ପଞ୍ଚାୟତରୁ ଅତି କମରେ ୫ଟି ମୋଟରସାଇକେଲ ରାଲିରେ ବାହାରି ରାଜଧାନୀରେ ଥିବା ମହାତ୍ମା ଗାନ୍ଧୀ ଏବଂ ଡଃ ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହେବେ। ସେଠାରୁ ସମସ୍ତେ ଏକାଠି ଲୋୟର ପିଏମଜି ଅଭିମୁଖେ ଯାଇ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବେ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଅତି କମରେ ୧୦,୦୦୦ ଲୋକ ଯୋଗଦେବେ ବୋଲି ପିସିସି ସଭାପତି ଦାବି କରିଛନ୍ତି।
ଏହି ରାଲି ମାଧ୍ୟମରେ କଂଗ୍ରେସ ପକ୍ଷରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ବାତିଲ, ସଂଶୋଧନ ପରେ ହୋଇଥିବା ନିର୍ବାଚନକୁ ରଦ୍ଦ କରିବା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯିବ। ଏହା ବ୍ୟତୀତ ଖଣି ଓ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନରେ ହୋଇଥିବା ସଂଶୋଧନ ପ୍ରତ୍ୟାହାର, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଗଞ୍ଜାମ ଓ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାର ବନ୍ୟା ପ୍ରପୀଡ଼ିତଙ୍କୁ ତୁରନ୍ତ ସହାୟତା ଏବଂ କୋଟିଆ ବିବାଦରେ ଜରୁରୀ ହସ୍ତକ୍ଷେପ ଦାବିକୁ କଂଗ୍ରେସ ଜନସାଧାରଣଙ୍କ ନିକଟକୁ ନେବ ବୋଲି ଭକ୍ତ ଚରଣ ଦାସ କହିଛନ୍ତି।




