ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’ ଆହୁରି ଅଧିକ ଘନୀଭୂତ ହୋଇ ଏକ ‘ଅତି ଭୀଷଣ ସାମୁଦ୍ରିକ ବାତ୍ୟା’ର ରୂପ ନେବାକୁ ଯାଉଛି। ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ‘ଅରେଞ୍ଜ ମେସେଜ୍’ ଜାରି କରାଯାଇଛି।
ବୁଧବାର ସକାଳ ୫ଟା ୪୦ ମିନିଟରେ IMD ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଦକ୍ଷିଣ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଥିବା ଏହି ବାତ୍ୟା ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ମାତ୍ର ୩ କିଲୋମିଟର ବେଗରେ ଧୀରେ ଧୀରେ ଉତ୍ତର ଦିଗକୁ ଗତି କରିଛି। ବର୍ତ୍ତମାନ ଏହା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୭୫୦ କିଲୋମିଟର ଦକ୍ଷିଣରେ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୬୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଏବଂ ମଛଲିପଟ୍ଟନମଠାରୁ ୬୨୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରଭୂତ ହୋଇଛି। ସେହିପରି ଏହା ଚେନ୍ନାଇଠାରୁ ପ୍ରାୟ ୫୯୦ କିଲୋମିଟର ପୂର୍ବରେ ଏବଂ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୫୦ କିଲୋମିଟର ଉତ୍ତର-ପୂର୍ବରେ ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାୟୀ, ବାତ୍ୟା ‘ଅକ୍ୱାନ୍’ ଧୀରେ ଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ବୁଧବାର ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ‘ଭୀଷଣ ସାମୁଦ୍ରିକ ବାତ୍ୟା’ରେ ପରିଣତ ହେବ। ଏହାପରେ ନଭେମ୍ବର ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଆହୁରି ଶକ୍ତିଶାଳୀ ହୋଇ ଏକ ‘ଅତି ଭୀଷଣ ସାମୁଦ୍ରିକ ବାତ୍ୟା’ର ରୂପ ନେବ। ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ଏହା ଆନ୍ଧ୍ରପ୍ରଦେଶ ଏବଂ ୟାନମ ଉପକୂଳର ନେଲୋର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ।
ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୨୦ ରୁ ୧୩୦ କିଲୋମିଟର ରହିବାକୁ ଥିବାବେଳେ ଝଟକା ପବନ ଘଣ୍ଟାପ୍ରତି ୧୪୫ କିଲୋମିଟର ପର୍ଯ୍ୟନ୍ତ ବହିପାରେ। ବଙ୍ଗୋପସାଗରରେ ଏହି ବାତ୍ୟା ଅଧିକ ଘନୀଭୂତ ହେଉଥିବାରୁ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରଶାସନିକ ସ୍ତରରେ ଉଚ୍ଚ ସତର୍କତା ଓ ବ୍ୟାପକ ପ୍ରସ୍ତୁତି ଅବଲମ୍ବନ କରିବାକୁ IMD ପକ୍ଷରୁ ପରାମର୍ଶ ଦିଆଯାଇଛି।




