ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବହୁପ୍ରତୀକ୍ଷିତ ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ସୂଚନା ଅନୁଯାୟୀ, ଅଧିବେଶନର ପ୍ରଥମ ଦିନରେ ହିଁ ରାଜ୍ୟ ସରକାର ଗୃହରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ସହିତ ୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ, ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଗୃହରେ ଘେରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଭତ୍ତା ବଣ୍ଟନ ଏବଂ ବିପର୍ଯ୍ୟୟ ପରିଚାଳନା ଓ ରିଲିଫ୍ କ୍ଷେତ୍ରରେ ହୋଇଥିବା କଥିତ ଅବ୍ୟବସ୍ଥା, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, କୋଟିଆ ସୀମା ବିବାଦ, ମହାନଦୀ ଜଳ ବିବାଦ, ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଏବଂ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ବିଜେଡି ଗୃହରେ ଜୋରଦାର ଭାବେ ଉଠାଇବାକୁ ଯୋଜନା କରିଛି। ସେହିପରି କଂଗ୍ରେସ ବିଧାୟକ ଦଳ ମଧ୍ୟ ରାଜ୍ୟର ପ୍ରମୁଖ ସମସ୍ୟାଗୁଡ଼ିକୁ ନେଇ ସରକାରଙ୍କୁ ଜବାବ ମାଗିବା ପାଇଁ ଏକ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛି।

ବିରୋଧୀଙ୍କ ଆକ୍ରମଣର କଡ଼ା ମୁକାବିଲା କରିବା ଏବଂ ଗୃହରେ ଉଠିବାକୁ ଥିବା ସମସ୍ତ ପ୍ରସଙ୍ଗର ଉପଯୁକ୍ତ ଜବାବ ଦେବା ପାଇଁ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସଙ୍କେତ ଦେଇଛି।

ସୂଚନାଯୋଗ୍ୟ ଯେ, ଅଧିବେଶନ ପୂର୍ବରୁ ମଙ୍ଗଳବାର ଦିନ ବାଚସ୍ପତି ସୂରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହର କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଉଭୟ ଶାସକ ବିଜେପି ଏବଂ ବିରୋଧୀ ଦଳ ସହମତି ପ୍ରକାଶ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ମ ପ୍ରମୁଖ ଉପସ୍ଥିତ ଥିଲେ।