ଭୁବନେଶ୍ୱର: ଗତ ମାସରେ ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ନେଇ ବିରୋଧୀ ଦଳଗୁଡ଼ିକ ଆଣୁଥିବା ଅଭିଯୋଗର କଡ଼ା ମୁକାବିଲା କରିବାକୁ ନିଷ୍ପତ୍ତି ନେଇଛି ଶାସକ ଭାରତୀୟ ଜନତା ପାର୍ଟି । ବିଧାନସଭାରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ, ବାତ୍ୟା ପରିଚାଳନା ଏବଂ ରିଲିଫ୍ ବଣ୍ଟନର ସଠିକ୍ ତଥ୍ୟ ଓ ପରିସଂଖ୍ୟାନ ଉପସ୍ଥାପନ କରି ବିରୋଧୀଙ୍କୁ ଜବାବ ଦିଆଯିବ ବୋଲି ବିଜେପି ନିଷ୍ପତ୍ତି ନେଇଛି।
ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଏହି ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲଙ୍କ ସମେତ ଦଳର ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିରୋଧୀଙ୍କ ଭ୍ରାମକ ଅପପ୍ରଚାରକୁ ଆମେ ତଥ୍ୟ ସହ କାଉଣ୍ଟର କରିବୁ। ଶାସକ ଦଳ ଭାବେ ରାଜ୍ୟବାସୀଙ୍କ ନିକଟରେ ସଠିକ୍ ସୂଚନା ପହଞ୍ଚାଇବା ଆମର ଦାୟିତ୍ୱ।
ବୈଠକରେ ନିଷ୍ପତ୍ତି ହୋଇଛି ଯେ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଗଞ୍ଜାମ, କନ୍ଧମାଳ ଏବଂ ଗଜପତି ଜିଲ୍ଲାର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ସମ୍ପର୍କରେ ଗୃହରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି ଯେ, ବାତ୍ୟା ଓ ବନ୍ୟା ପରେ ମନ୍ତ୍ରୀ ଓ ବିଧାୟକମାନେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ଦୁଃଖସୁଖ ବୁଝିବା ସହ ଆବଶ୍ୟକୀୟ ସହାୟତା ପହଞ୍ଚାଇବାକୁ ପଦକ୍ଷେପ ନେଇଥିଲେ। ଏହାସହ କୃଷି କ୍ଷୟକ୍ଷତି, ପଶୁପାଳନ ସମ୍ବନ୍ଧୀୟ ସମସ୍ୟା ଏବଂ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।
ମନ୍ତ୍ରୀ ମହାଲିଙ୍ଗ ଆହୁରି କହିଛନ୍ତି ଯେ, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଏବଂ ଅନ୍ୟାନ୍ୟ ବିଧାନସଭା କାର୍ଯ୍ୟରେ ବିରୋଧୀଙ୍କ ଦ୍ୱାରା ଉଠାଯିବାକୁ ଥିବା ସମସ୍ତ ପ୍ରସଙ୍ଗର ତଥ୍ୟ ଓ ପ୍ରମାଣ ସହ ଉତ୍ତର ଦେବାକୁ ଶାସକ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସୂଚନାଯୋଗ୍ୟ ଯେ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ବନ୍ୟାକୁ ‘ମନୁଷ୍ୟକୃତ’ ବୋଲି ଅଭିଯୋଗ କରି ବିଜେପି ସରକାରଙ୍କ ପ୍ରଶାସନିକ ଅପାରଗତାକୁ ଦାୟୀ କରିଥିଲେ। ଆଜି ବୁଧବାରଠାରୁ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନରେ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗକୁ ପ୍ରମୁଖ ଭାବେ ଉଠାଇବାକୁ ଘୋଷଣା କରିଛନ୍ତି।




