ଭୁବନେଶ୍ୱର: ଓଡ଼ିଶାରେ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବିରେ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷାର ସୂଚୀରେ ପରିବର୍ତ୍ତନ କରିଛି ରାଜ୍ୟ ଚୟନ ବୋର୍ଡ (SSB)। ପୂର୍ବ ନିର୍ଦ୍ଧାରିତ ତାରିଖ ସହ ଡିସେମ୍ବର ୧ ତାରିଖକୁ ଅତିରିକ୍ତ ପରୀକ୍ଷା ଦିବସ ଭାବେ ଯୋଡ଼ାଯାଇଛି। ଏହା ପରେ ପରୀକ୍ଷା ନଭେମ୍ବର ୨୧, ୨୩, ୨୫, ୨୭ ଏବଂ ଡିସେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ।
SSB ପକ୍ଷରୁ ନଭେମ୍ବର ୧୩ରେ ଜାରି ବିଜ୍ଞପ୍ତିରେ ଏହି ସଂଶୋଧିତ ପରୀକ୍ଷା ସୂଚୀ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସମସ୍ତ ପରୀକ୍ଷା ଅନଲାଇନ୍ କମ୍ପ୍ୟୁଟର୍ ବେସ୍ଡ୍ ଟେଷ୍ଟ (CBT) ମାଧ୍ୟମରେ ହେବ। ପ୍ରତ୍ୟେକ ପରୀକ୍ଷା ଦିନ ତିନୋଟି ସିଫ୍ଟରେ ପରୀକ୍ଷା କରାଯିବ।
ବୋର୍ଡର ସୂଚନା ଅନୁସାରେ, ପରୀକ୍ଷାର ସିଟି ଇଣ୍ଟିମେସନ୍ ସ୍ଲିପ୍ ନଭେମ୍ବର ୧୬ ତାରିଖ ରାତି ୮ଟାରୁ ଉପଲବ୍ଧ ହେବାର ବ୍ୟବସ୍ଥା ରହିଛି। ସେହିପରି ନଭେମ୍ବର ୧୮ ତାରିଖ ରାତି ୮ଟାରୁ ପ୍ରାର୍ଥୀମାନେ ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଆଡମିଟ୍ କାର୍ଡରେ ପରୀକ୍ଷା କେନ୍ଦ୍ର, ତାରିଖ ଓ ସମୟ ସମ୍ପର୍କିତ ବିବରଣୀ ରହିବ। କୌଣସି ପ୍ରାର୍ଥୀଙ୍କୁ ଡାକ ଯୋଗେ ହଲ୍ ଟିକେଟ୍ ପଠାଯିବ ନାହିଁ।
ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୮୮୩ଟି ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦ ପୂରଣ କରାଯିବ। ପରୀକ୍ଷାର୍ଥୀମାନେ ଅଧିକ ସୂଚନା ଓ ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ SSBର ଅଫିସିଆଲ୍ ୱେବସାଇଟ୍ ssbodisha.ac.in ନିୟମିତ ଯାଞ୍ଚ କରିବାକୁ ବୋର୍ଡ ପରାମର୍ଶ ଦେଇଛି।




