ବାଲେଶ୍ୱର: ସରକାରୀ ଯୋଜନାରେ ଅନିୟମିତତା କରି ୨୫ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ବାଲେଶ୍ୱର ଜିଲ୍ଲାରେ Comprehensive Rice Fallow Management (CRFM) ଯୋଜନାରେ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗରେ ଦୁଇ କୃଷି ଅଧିକାରୀ ଓ ଏକ ଏନ୍ଜିଓର ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି।
ଗିରଫ ଦୁଇ ସରକାରୀ ଅଧିକାରୀ ହେଲେ ବାଲେଶ୍ୱରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା ଏବଂ ପୂର୍ବତନ କୃଷି ଜିଲ୍ଲା ଅଧିକାରୀ ସରୋଜ କୁମାର ଗିରି। ଅନ୍ୟ ଅଭିଯୁକ୍ତ ହେଉଛନ୍ତି ମୟୂରଭଞ୍ଜର ‘ଶକ୍ତି ଶିକ୍ଷା ଡେଭଲପମେଣ୍ଟ ସୋସାଇଟି’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା।
ଭିଜିଲାନ୍ସର ସୂଚନା ଅନୁସାରେ, CRFM ଯୋଜନା ଅଧୀନରେ ବାଲେଶ୍ୱର ଜିଲ୍ଲାରେ ୧୨ ହଜାର ହେକ୍ଟର ଜମିରେ ମୁଗ ଏବଂ ୩,୫୦୦ ହେକ୍ଟର ଜମିରେ ବିରି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହି ଯୋଜନାର କାର୍ଯ୍ୟାନ୍ୱୟନରେ ସହଯୋଗ କରିବା ପାଇଁ ଉକ୍ତ ଏନ୍ଜିଓକୁ Professional Agency ଭାବେ ନିୟୋଜିତ କରାଯାଇଥିଲା।
ଯୋଜନା ଅନୁଯାୟୀ, ଚାଷୀ ଚୟନ, ସଚେତନତା କାର୍ଯ୍ୟକ୍ରମ, ଚାଷୀଙ୍କୁ ସଂଗଠିତ କରିବା ଏବଂ ଚାଷ ସାମଗ୍ରୀର ବ୍ୟବହାର ତଦାରଖ କରିବା ଏନ୍ଜିଓର ଦାୟିତ୍ୱ ଥିଲା। କିନ୍ତୁ ଭିଜିଲାନ୍ସର ଯାଞ୍ଚ ସମୟରେ ଜିଲ୍ଲାର ସମସ୍ତ ୧୨ଟି ବ୍ଲକର ବ୍ଲକ୍ କୃଷି ଅଧିକାରୀମାନେ ଏନ୍ଜିଓ ପକ୍ଷରୁ କୌଣସି କ୍ଷେତ୍ରସ୍ତରୀୟ କାର୍ଯ୍ୟ ହୋଇନଥିବା କହିଥିଲେ।
ତଦନ୍ତରେ ଏନ୍ଜିଓ ପକ୍ଷରୁ ଜାଲ୍ ବିଲ୍ ଦାଖଲ କରାଯାଇଥିବା ଏବଂ ଆବଶ୍ୟକ କ୍ଷେତ୍ରସ୍ତରୀୟ ପ୍ରମାଣପତ୍ର ନଥାଇ ଦୁଇ କୃଷି ଅଧିକାରୀ ବିଲ୍ଗୁଡ଼ିକୁ ମଞ୍ଜୁର କରିଥିବା ଅଭିଯୋଗ ହୋଇଛି। ଏହି ଉପାୟରେ ସରକାରୀ ଅର୍ଥରୁ ୨୫,୦୩,୨୪୯ ଟଙ୍କା ଆତ୍ମସାତ୍ କରାଯାଇଥିବା ଭିଜିଲାନ୍ସ କହିଛି।
ଏହି ଘଟଣାରେ ତିନି ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ବାଲେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।




