ୱାଶିଂଟନ୍‌: ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି ନାସାର ମହାକାଶଯାନ ଭଏଜର୍‌-୧। ପୃଥିବୀଠାରୁ ଏକ ଆଲୋକ ଦିନ (One Light-Day) ଦୂରତା ଅତିକ୍ରମ କରିଛି ଏହି ମାନବନିର୍ମିତ ମହାକାଶଯାନ। ନଭେମ୍ବର ୧୮, ୨୦୨୬ରେ ଏହି ଐତିହାସିକ ଦୂରତାରେ ପହଞ୍ଚିଛି ଭଏଜର୍‌-୧। ଏହାର ଅର୍ଥ, ପୃଥିବୀରୁ ଆଲୋକ ବେଗରେ ପଠାଯାଇଥିବା ସିଗ୍ନାଲ୍‌ ମହାକାଶଯାନ ନିକଟରେ ପହଞ୍ଚିବାକୁ ପ୍ରାୟ ୨୪ ଘଣ୍ଟା ସମୟ ନେବ।

ନାସାର ତଥ୍ୟ ଅନୁସାରେ, ଭଏଜର୍‌-୧ ପୃଥିବୀଠାରୁ ପ୍ରାୟ ୧୬.୦୯୪ ବିଲିୟନ ମାଇଲ୍‌ ବା ୨୫.୯୦୨ ବିଲିୟନ କିଲୋମିଟର ଦୂରରେ ପହଞ୍ଚିଛି। ଏକ ଆଲୋକ ଦିନ ହେଉଛି ଆଲୋକ ୨୪ ଘଣ୍ଟାରେ ଅତିକ୍ରମ କରୁଥିବା ଦୂରତା। ଏହା ମହାକାଶରେ ଦୂରତା ମାପିବାର ଏକ ଏକକ, ସମୟ ନୁହେଁ।

୧୯୭୭ ମସିହା ସେପ୍ଟେମ୍ବର ୫ ତାରିଖରେ ନାସା ଭଏଜର୍‌-୧କୁ ମହାକାଶକୁ ପଠାଇଥିଲା। ଏହାର ପ୍ରାରମ୍ଭିକ ଲକ୍ଷ୍ୟ ଥିଲା ବୃହସ୍ପତି ଓ ଶନି ଗ୍ରହର ଅଧ୍ୟୟନ। ଏହି ଦୁଇ ଗ୍ରହର ନିକଟ ଦେଇ ଗତି କରିବା ପରେ ଏହା ସୌରମଣ୍ଡଳର ବାହାର ଅଞ୍ଚଳ ଆଡ଼କୁ ଯାତ୍ରା ଜାରି ରଖିଥିଲା। ୨୦୧୨ ମସିହାରେ ଏହା ସୂର୍ଯ୍ୟଙ୍କ ପ୍ରଭାବ କ୍ଷେତ୍ର ହେଲିଓସ୍ଫିୟର୍‌ ଅତିକ୍ରମ କରି ଆନ୍ତଃନକ୍ଷତ୍ର ମହାକାଶରେ ପ୍ରବେଶ କରିଥିଲା।

ଭଏଜର୍‌-୧ର ଯାଆଁଳା ମହାକାଶଯାନ ଭଏଜର୍‌-୨ ମଧ୍ୟ ୧୯୭୭ରେ ଉତ୍‌କ୍ଷେପଣ ହୋଇଥିଲା। କିନ୍ତୁ ଏହା ଭିନ୍ନ ମାର୍ଗରେ ଯାତ୍ରା କରୁଥିବାରୁ ପୃଥିବୀଠାରୁ ଏକ ଆଲୋକ ଦିନ ଦୂରତାରେ ପହଞ୍ଚିବାକୁ ଆହୁରି ସମୟ ଲାଗିବ। ନାସାର ଆକଳନ ଅନୁସାରେ, ଭଏଜର୍‌-୨ ଏହି ମାଇଲଖୁଣ୍ଟ ୨୦୩୫ ମସିହା ନଭେମ୍ବରରେ ଅତିକ୍ରମ କରିପାରେ।

ପ୍ରାୟ ପାଞ୍ଚ ଦଶନ୍ଧିର ଯାତ୍ରା ସତ୍ତ୍ୱେ ଭଏଜର୍‌-୧ ଏବେ ମଧ୍ୟ ମହାକାଶରୁ ବୈଜ୍ଞାନିକ ତଥ୍ୟ ପଠାଉଛି। ଏହାର ଶକ୍ତି ଉତ୍ସ ଦୁର୍ବଳ ହେଉଥିବାରୁ ନାସା ବୈଜ୍ଞାନିକମାନେ ଶକ୍ତି ସଞ୍ଚୟ ପାଇଁ ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ଏହି ମହାକାଶଯାନରେ ଥିବା ‘ଗୋଲ୍ଡେନ୍‌ ରେକର୍ଡ’ରେ ପୃଥିବୀ ଓ ମାନବ ସଭ୍ୟତା ସମ୍ପର୍କିତ ତଥ୍ୟ, ଶବ୍ଦ ଓ ସଙ୍ଗୀତ ସଂରକ୍ଷିତ ରହିଛି।

ଭଏଜର୍‌-୧ର ଏହି ସଫଳତା ମାନବଜାତିର ମହାକାଶ ଅନୁସନ୍ଧାନ ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ଯୋଡ଼ିଛି।