ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ଚରମ ପାଣିପାଗ ଘଟଣାର ପ୍ରଭାବ ବିଶ୍ୱ ପାଇଁ ଗମ୍ଭୀର ଚିନ୍ତାର କାରଣ ପାଲଟିଛି। ଗତ ୩୦ ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ତାପପ୍ରବାହ ଓ ଅନ୍ୟାନ୍ୟ ଚରମ ପାଣିପାଗ ଘଟଣାରେ ସାରା ବିଶ୍ୱରେ ୯ ଲକ୍ଷ ୧୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ପ୍ରାୟ ୫୫୦ କୋଟି ଲୋକ ପ୍ରଭାବିତ ହୋଇଥିବା ବେଳେ ବିଶ୍ୱ ଅର୍ଥନୀତିକୁ ୪.୭ ଟ୍ରିଲିୟନ୍ ଆମେରିକୀୟ ଡଲାରରୁ ଅଧିକ ପ୍ରତ୍ୟକ୍ଷ କ୍ଷତି ସହିବାକୁ ପଡ଼ିଛି।
ଜର୍ମାନୀର ପରିବେଶ ଓ ଜଳବାୟୁ ଗବେଷଣା ସଂସ୍ଥା Germanwatch ପକ୍ଷରୁ ଜାରି Climate Risk Index (CRI) 2027 ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ତୁର୍କୀର ଆଣ୍ଟାଲ୍ୟାରେ ଆୟୋଜିତ COP31 ଜଳବାୟୁ ସମ୍ମିଳନୀ ଅବସରରେ ନଭେମ୍ବର ୧୭ରେ ଏହି ରିପୋର୍ଟ ପ୍ରକାଶ ପାଇଛି। ୧୯୯୬ରୁ ୨୦୨୫ ମଧ୍ୟରେ ଘଟିଥିବା ପ୍ରାୟ ୧୦ ହଜାର ଚରମ ପାଣିପାଗ ଘଟଣାର ତଥ୍ୟ ଆଧାରରେ ଏହି ଆକଳନ କରାଯାଇଛି।
ରିପୋର୍ଟ ଅନୁସାରେ, ଗତ ୩୦ ବର୍ଷରେ ଚରମ ପାଣିପାଗ ଘଟଣାରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ ତାଲିକାରେ ଡୋମିନିକା, ମିଆଁମାର ଓ ହୋଣ୍ଡୁରାସ୍ ପ୍ରଥମ ତିନି ସ୍ଥାନରେ ରହିଛନ୍ତି। ଭାରତ ମଧ୍ୟ ଶୀର୍ଷ ୧୦ଟି ପ୍ରଭାବିତ ଦେଶ ମଧ୍ୟରେ ସ୍ଥାନ ପାଇଛି। ବିଶେଷଜ୍ଞଙ୍କ ମତରେ, କମ୍ ଆୟକାରୀ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ ପାଇଁ ତୁଳନାତ୍ମକ ଭାବେ କମ୍ ଦାୟୀ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ସେମାନଙ୍କ ଉପରେ ଅଧିକ ପଡ଼ୁଛି।
୨୦୨୫ରେ ୩୫ ହଜାର ମୃତ୍ୟୁ
କେବଳ ୨୦୨୫ ମସିହାରେ ସାରା ବିଶ୍ୱରେ ୩୬୭ଟି ଚରମ ପାଣିପାଗ ଘଟଣା ରେକର୍ଡ ହୋଇଥିଲା। ଏଥିରେ ପ୍ରାୟ ୩୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ଏହି ବର୍ଷରେ ଆର୍ଥିକ କ୍ଷତି ୧୫୮ ବିଲିୟନ୍ ଡଲାରରୁ ଅଧିକ ଥିଲା। ୨୦୨୫ରେ ଜାମାଇକା, ଶ୍ରୀଲଙ୍କା ଓ ସ୍ପେନ୍ ଚରମ ପାଣିପାଗ ଘଟଣାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ।
ସବୁଠାରୁ ଘାତକ ତାପପ୍ରବାହ, ଅଧିକ କ୍ଷତି କରୁଛି ବାତ୍ୟା
ରିପୋର୍ଟରେ ତାପପ୍ରବାହକୁ ସବୁଠାରୁ ଘାତକ ପାଣିପାଗ ଘଟଣା ଭାବେ ଚିହ୍ନଟ କରାଯାଇଛି। ୨୦୨୫ରେ ରେକର୍ଡ ହୋଇଥିବା ମୋଟ ମୃତ୍ୟୁର ପ୍ରାୟ ୭୦ ପ୍ରତିଶତ ତାପପ୍ରବାହ ଯୋଗୁଁ ହୋଇଥିଲା। ଏଥିରେ ୨୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଗତ ୩୦ ବର୍ଷର ତଥ୍ୟରେ ମଧ୍ୟ ତାପପ୍ରବାହ ମୋଟ ରେକର୍ଡ ମୃତ୍ୟୁର ପ୍ରାୟ ୪୦ ପ୍ରତିଶତ ପାଇଁ ଦାୟୀ ରହିଛି।
ଅନ୍ୟପକ୍ଷରେ, ଆର୍ଥିକ କ୍ଷତି ଦୃଷ୍ଟିରୁ ବାତ୍ୟା ସବୁଠାରୁ ଅଧିକ ପ୍ରଭାବ ପକାଇଛି। ୧୯୯୬ରୁ ୨୦୨୫ ମଧ୍ୟରେ ଚରମ ପାଣିପାଗ ଯୋଗୁଁ ହୋଇଥିବା ମୋଟ ଆର୍ଥିକ କ୍ଷତିର ୫୮ ପ୍ରତିଶତ ବାତ୍ୟାଜନିତ ଥିଲା।
ବିକାଶଶୀଳ ଦେଶଗୁଡ଼ିକରେ ତାପପ୍ରବାହ ଯୋଗୁଁ ହେଉଥିବା ମୃତ୍ୟୁର ସଠିକ୍ ରେକର୍ଡ ରଖାଯାଉନଥିବାରୁ ପ୍ରକୃତ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି Germanwatch ଚେତାବନୀ ଦେଇଛି। ଏହି ସ୍ଥିତିର ମୁକାବିଲା ପାଇଁ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା, ବନ୍ୟା ନିୟନ୍ତ୍ରଣ, ତାପପ୍ରବାହ ମୁକାବିଲା ଯୋଜନା ଓ ଜଳବାୟୁ ଅନୁକୂଳ ଭିତ୍ତିଭୂମିରେ ଅଧିକ ପୁଞ୍ଜିନିବେଶ ଉପରେ ରିପୋର୍ଟ ଗୁରୁତ୍ୱ ଦେଇଛି।




