ନୂଆଦିଲ୍ଲୀ: ସରକାରୀ କାର୍ଯ୍ୟାଳୟରେ ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ାଇବା ଲକ୍ଷ୍ୟରେ ବଡ଼ ପଦକ୍ଷେପ ନେଇଛି କେନ୍ଦ୍ର ସରକାର। ଏଣିକି କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟ ଓ ବିଭାଗଗୁଡ଼ିକ ନୂଆ ସରକାରୀ ଗାଡ଼ି କିଣିବା ସମୟରେ ଇଲେକ୍ଟ୍ରିକ୍ କାର୍କୁ ପ୍ରାଥମିକତା ଦେବେ। ପୁରୁଣା ପେଟ୍ରୋଲ୍ କିମ୍ବା ଡିଜେଲ୍ ଗାଡ଼ି ବଦଳରେ ସାଧାରଣତଃ ଇଭି (EV) କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନସ୍ଥ ବ୍ୟୟ ବିଭାଗ (Department of Expenditure) ନଭେମ୍ବର ୧୦ ତାରିଖରେ ଏ ସଂକ୍ରାନ୍ତରେ ନୂଆ କାର୍ଯ୍ୟାଳୟ ସ୍ମାରକପତ୍ର ଜାରି କରିଛି। ଏଥିରେ ସରକାରୀ ଗାଡ଼ି କ୍ରୟ ପାଇଁ ନେଟ୍ ଡିଲର୍ ପ୍ରାଇସ୍ (NDP) ସୀମା ମଧ୍ୟ ସଂଶୋଧନ କରାଯାଇଛି।
ନୂଆ ନିୟମ ଅନୁସାରେ, ଇଲେକ୍ଟ୍ରିକ୍ କାର୍ କିଣିବା ପାଇଁ ସର୍ବାଧିକ NDP ସୀମା ୨୦ ଲକ୍ଷ ଟଙ୍କା ରଖାଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ୍, ଡିଜେଲ୍ ଓ ହାଇବ୍ରିଡ୍ କାର୍ ପାଇଁ ଏହି ସୀମା ୧୦ ଲକ୍ଷ ଟଙ୍କା ରହିଛି।
ପେଟ୍ରୋଲ୍-ଡିଜେଲ୍ ଗାଡ଼ି କିଣିବାକୁ ଲୋଡ଼ା ହେବ ବିଶେଷ ଅନୁମତି
ସରକାରୀ ବିଭାଗଗୁଡ଼ିକ ଯଦି କୌଣସି କାରଣରୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବା କିମ୍ବା ବ୍ୟବହାର କରିବାକୁ ଅସୁବିଧା ଥିବା ଦର୍ଶାଇ ପେଟ୍ରୋଲ୍ କିମ୍ବା ଡିଜେଲ୍ ଗାଡ଼ି କିଣିବାକୁ ଚାହାନ୍ତି, ତେବେ ଏଥିପାଇଁ ଯଥାର୍ଥ କାରଣ ସହ ପ୍ରସ୍ତାବ ଦାଖଲ କରିବାକୁ ପଡ଼ିବ। ସମ୍ପୃକ୍ତ ମନ୍ତ୍ରାଳୟ ବା ବିଭାଗର ସଚିବଙ୍କ ଅନୁମୋଦନ ଏବଂ ଆର୍ଥିକ ପରାମର୍ଶଦାତାଙ୍କ ସହମତି ପରେ ଏହାକୁ ବ୍ୟୟ ବିଭାଗକୁ ପଠାଯିବ। ପ୍ରତ୍ୟେକ ପ୍ରସ୍ତାବକୁ ଅଲଗା ଅଲଗା ଭାବେ ବିଚାର କରାଯିବ।
କେବଳ ଗାଡ଼ି କିଣିବା ନୁହେଁ, ସରକାରୀ କାର୍ଯ୍ୟ ପାଇଁ ଗାଡ଼ି ଭଡ଼ାରେ ନେବା କ୍ଷେତ୍ରରେ ମଧ୍ୟ ଇଲେକ୍ଟ୍ରିକ୍ ଯାନକୁ ପ୍ରାଥମିକତା ଦେବାକୁ କୁହାଯାଇଛି। ପେଟ୍ରୋଲ୍ କିମ୍ବା ଡିଜେଲ୍ ଗାଡ଼ି ଭଡ଼ାରେ ନେବା ଆବଶ୍ୟକ ହେଲେ ସେଥିପାଇଁ ମଧ୍ୟ ଅନୁମତି ନେବାକୁ ପଡ଼ିବ।
ନଭେମ୍ବର ୧୦ରୁ ଲାଗୁ ହେଲା ନୂଆ ନିୟମ
ଏହି ନୂଆ ନିର୍ଦ୍ଦେଶ ନଭେମ୍ବର ୧୦ ତାରିଖରୁ ତତ୍କାଳ ଲାଗୁ ହୋଇଛି। ତେବେ ସରକାରୀ ଗାଡ଼ି କ୍ରୟ, ବ୍ୟବହାର ଓ ଭଡ଼ା ସମ୍ପର୍କିତ ଅନ୍ୟ ନିୟମଗୁଡ଼ିକ ପୂର୍ବଭଳି ଜାରି ରହିବ। ଗାଡ଼ି କିଣା ପ୍ରକ୍ରିୟା ସାଧାରଣ ଆର୍ଥିକ ନିୟମ (GFR), ୨୦୧୭ ଅନୁଯାୟୀ ହେବ।
ସରକାରଙ୍କ କହିବା ଅନୁସାରେ, ଇଲେକ୍ଟ୍ରିକ୍ ଯାନକୁ ପ୍ରୋତ୍ସାହନ ଦେବା, ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ଏବଂ ଗାଡ଼ିର ଦୀର୍ଘକାଳୀନ ବ୍ୟବହାର ଖର୍ଚ୍ଚକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।




