ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକଭାନ୍‌’ର ମୁକାବିଲା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରସ୍ତୁତି ଜୋରଦାର କରିଛନ୍ତି। ବାତ୍ୟାର ପ୍ରଭାବ ଓ ସମ୍ଭାବ୍ୟ କ୍ଷୟକ୍ଷତିର ସମୀକ୍ଷା କରିବାକୁ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିସନର (SRC)ଙ୍କ କଣ୍ଟ୍ରୋଲ୍‌ ରୁମ୍‌ରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ମୁକାବିଲାରେ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ‘ଜିରୋ କାଜୁଆଲିଟି’ ବା ଶୂନ୍ୟ ଜୀବନହାନି। ଏଥିପାଇଁ ସମସ୍ତ ବିଭାଗକୁ ସମନ୍ୱୟ ରଖି କାମ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ବିଶେଷକରି ପାହାଡ଼ ପାଦଦେଶ ଓ ଅନ୍ୟ ବିପଦସଂକୁଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାରଠାରୁ SRC କଣ୍ଟ୍ରୋଲ୍‌ ରୁମ୍‌ରେ ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଅଭିଜ୍ଞ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବାତ୍ୟାର ଗତିବିଧି, ଜିଲ୍ଲାଗୁଡ଼ିକର ସ୍ଥିତି ଓ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖାଯିବ। ଏହି ଦାୟିତ୍ୱ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କୁ ଦିଆଯାଇଛି।

IMDର ପୂର୍ବାନୁମାନ ଅନୁସାରେ, ବାତ୍ୟା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁରରୁ ପୁରୀ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ୟାନାମ୍‌ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସହ କେତେକ ସ୍ଥାନରେ ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ବାତ୍ୟା ପ୍ରଭାବରେ ନଭେମ୍ବର ୧୯ ଓ ୨୦ ତାରିଖରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା। ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍‌ ଓ ଜରୁରୀକାଳୀନ ବ୍ୟବସ୍ଥାକୁ ସଜାଗ ରଖାଯାଇଛି।