ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରକୁ ନେଇ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନକୁ କେନ୍ଦ୍ର କରି ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ତେଜିଛି। ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ସମୟରେ ରାହୁଲ ଭାରତୀୟ ଗଣତନ୍ତ୍ରକୁ ‘Sacred’ ବା ପବିତ୍ର ବୋଲି କହିଥିଲେ। କିନ୍ତୁ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ତାଙ୍କ ବୟାନକୁ ‘Sick’ ବା ଅସୁସ୍ଥ ବୋଲି ଦର୍ଶାଇ ଆକ୍ରମଣ କରିଛନ୍ତି।
ନଭେମ୍ବର ୧୮ରେ ଚିକାଗୋ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଥିବା ବେଳେ ରାହୁଲଙ୍କୁ ପଚରାଯାଇଥିଲା ଯେ, ନିର୍ବାଚନରେ ଅନିୟମିତତା ହେଉଥିବା ଅଭିଯୋଗ ଥିଲେ ବିରୋଧୀ ଦଳଗୁଡ଼ିକ ନିର୍ବାଚନ ବର୍ଜନ କରୁନାହାନ୍ତି କାହିଁକି? ଏହାର ଉତ୍ତରରେ ସେ କହିଥିଲେ, ଭାରତୀୟ ଗଣତନ୍ତ୍ର ତାଙ୍କ ପାଇଁ ପବିତ୍ର। ଗଣତନ୍ତ୍ରରେ ସମସ୍ୟା ରହିଛି ବୋଲି କହିବା ପାଇଁ ତାଙ୍କୁ ୧୦୦, ୨୦୦ କିମ୍ବା ୩୦୦ ପ୍ରତିଶତ ପ୍ରମାଣ ଆବଶ୍ୟକ।
ରାହୁଲ କହିଥିଲେ, ବିରୋଧୀ ଦଳ ଯଦି ନିର୍ବାଚନ ଲଢ଼ିବା ବନ୍ଦ କରିଦିଅନ୍ତି, ତେବେ ସେହି ମୁହୂର୍ତ୍ତରେ ଦେଶର ଗଣତନ୍ତ୍ରର ଢାଞ୍ଚା ଶେଷ ହୋଇଯିବ। ତେଣୁ ନିର୍ବାଚନ ବର୍ଜନ କରିବା ପରିବର୍ତ୍ତେ ନିର୍ବାଚନୀ ଅନିୟମିତତା ସମ୍ପର୍କିତ ଅଭିଯୋଗକୁ ଲୋକଙ୍କ ସାମ୍ନାକୁ ଆଣିବା ଏବଂ ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେବା ଜାରି ରଖିବା ହେଉଛି ବିରୋଧୀଙ୍କ ରଣନୀତି।
ତେବେ ରାହୁଲଙ୍କ ଏହି ବୟାନ ପରେ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ସୋସିଆଲ ମିଡିଆ ‘X’ରେ ଏକ ଭିଡିଓ ସେୟାର କରି ତାଙ୍କୁ ସମାଲୋଚନା କରିଥିଲେ। ରାହୁଲ ବିଦେଶ ମାଟିରେ ଭାରତୀୟ ଗଣତନ୍ତ୍ରକୁ ‘Sick’ କହିଛନ୍ତି ବୋଲି ସେ ଅଭିଯୋଗ କରିବା ସହ ତାଙ୍କୁ ‘ଆଣ୍ଟି-ଇଣ୍ଡିଆ ପ୍ରୋପାଗଣ୍ଡା’ର ନେତା ବୋଲି କହିଥିଲେ।
ଏହାପରେ ଅନ୍ୟ ବିଜେପି ନେତାମାନେ ମଧ୍ୟ ରାହୁଲଙ୍କୁ ଟାର୍ଗେଟ୍ କରିଥିଲେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଦେଶ ମାଟିରେ ଭାରତ ସମ୍ପର୍କରେ ଭୁଲ୍ ଓ ବିଭ୍ରାନ୍ତିକର ବୟାନ ଦେବାରୁ ରାହୁଲଙ୍କୁ ବିରତ ରହିବାକୁ କହିଥିଲେ। ବିରୋଧୀ ଦଳ ନେତା ଭାବେ ତାଙ୍କର ଅଧିକ ଦାୟିତ୍ୱ ରହିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ, ଚିକାଗୋ ବିଶ୍ୱବିଦ୍ୟାଳୟରେ ରାହୁଲଙ୍କ ଭାଷଣର ଭିଡିଓରେ ସେ ‘Sacred’ କହିଥିବା ସ୍ପଷ୍ଟ ଶୁଣାଯାଉଛି। ତେଣୁ ତାଙ୍କ ବୟାନକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏହି ଶବ୍ଦକୁ ନେଇ ଉପୁଜିଥିବା ବିବାଦ ଏବେ ରାଜନୈତିକ ବୟାନବାଜିର ରୂପ ନେଇଛି।




