ନୂଆଦିଲ୍ଲୀ: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁନଙ୍କ ଦ୍ୱାରା ଦାଏର ଏକ ଦେୱାନୀ ମାମଲାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଏବଂ ପୂର୍ବତନ RAW ମୁଖ୍ୟ ସାମନ୍ତ ଗୋଏଲଙ୍କୁ ଆଇନଗତ ସମନ୍‌ ପହଞ୍ଚାଇବା ପାଇଁ ଦିଲ୍ଲୀର ତିନିଟି ଜିଲ୍ଲା ଅଦାଲତଙ୍କ ସହାୟତା ଲୋଡ଼ିଛନ୍ତି ଆମେରିକାର ଏକ ଅଦାଲତ। ନଭେମ୍ବର ୧୩ ତାରିଖରେ ଆମେରିକାର ନ୍ୟୁୟର୍କସ୍ଥିତ ସାଉଦର୍ଣ୍ଣ ଡିଷ୍ଟ୍ରିକ୍ଟ କୋର୍ଟର ବିଚାରପତି କ୍ୟାଥରିନ୍ ପୋଲ୍କ ଫୈଲା ଏନେଇ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶ ଅନୁସାରେ, ଅଜିତ ଡୋଭାଲଙ୍କୁ ସମନ୍‌ ପହଞ୍ଚାଇବା ପାଇଁ ପଟିଆଲା ହାଉସ୍‌ ଜିଲ୍ଲା ଅଦାଲତଙ୍କ ସହାୟତା ନିଆଯିବ। ସେହିପରି ପୂର୍ବତନ RAW ମୁଖ୍ୟ ସାମନ୍ତ ଗୋଏଲଙ୍କ ପାଇଁ ଦ୍ୱାରକା ଓ ତିସ୍‌ ହଜାରୀ ଜିଲ୍ଲା ଅଦାଲତଙ୍କୁ ଅନୁରୋଧ କରାଯାଇଛି। ଏହି ଅଦାଲତଗୁଡ଼ିକ ସମନ୍‌ ଗ୍ରହଣ କରି ଭାରତୀୟ ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ପ୍ରକ୍ରିୟାରେ ସହଯୋଗ କରିବାକୁ ଆମେରିକା କୋର୍ଟ ଅନୁରୋଧ କରିଛନ୍ତି।

କ’ଣ ରହିଛି ମାମଲା?

ଆମେରିକାରେ ରହୁଥିବା ଗୁରପତୱନ୍ତ ସିଂହ ପନ୍ନୁନ ୨୦୨୪ରେ ଏହି ଦେୱାନୀ ମାମଲା ଦାଏର କରିଥିଲେ। ତାଙ୍କୁ ଆମେରିକା ମାଟିରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଷଡ଼ଯନ୍ତ୍ରରେ ଅଜିତ ଡୋଭାଲ, ସାମନ୍ତ ଗୋଏଲଙ୍କ ସମେତ ଭାରତ ସରକାରଙ୍କ କିଛି ଅଧିକାରୀ ସମ୍ପୃକ୍ତ ଥିବା ପନ୍ନୁନ ନିଜ ମାମଲାରେ ଦାବି କରିଛନ୍ତି। ଏହି ଅଭିଯୋଗ ଆଧାରରେ ସେ କ୍ଷତିପୂରଣ ଦାବି କରିଛନ୍ତି।

ପ୍ରଥମେ ହେଗ୍‌ କନଭେନସନ୍‌ ଅନୁଯାୟୀ ଭାରତର ନିର୍ଦ୍ଦିଷ୍ଟ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ସମନ୍‌ ପହଞ୍ଚାଇବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ସେହି ପ୍ରକ୍ରିୟା ସଫଳ ହୋଇନଥିବାରୁ ଆମେରିକା କୋର୍ଟ ବିକଳ୍ପ ପଦ୍ଧତି ଅନୁମତି ଦେଇଛନ୍ତି। ଏଥିପାଇଁ ହେଗ୍‌ କନଭେନସନ୍‌ର ଧାରା ୧୯ ଏବଂ ଭାରତର ଦେୱାନୀ ପ୍ରକ୍ରିୟା ସଂହିତା (CPC)ର ସମ୍ପୃକ୍ତ ବ୍ୟବସ୍ଥାର ଉଲ୍ଲେଖ କରାଯାଇଛି।

ଆମେରିକା କୋର୍ଟ ଦିଲ୍ଲୀର ଅଦାଲତଗୁଡ଼ିକୁ ସମନ୍‌ ପହଞ୍ଚାଇବା ପ୍ରକ୍ରିୟାର ଲିଖିତ ବିବରଣୀ ମଧ୍ୟ ଫେରାଇବାକୁ ଅନୁରୋଧ କରିଛନ୍ତି।

ଭାରତର ପ୍ରତିକ୍ରିୟା

ଏହି ମାମଲାକୁ ଭାରତ ସରକାର ଦୃଢ଼ ଭାବେ ଖାରଜ କରିଛନ୍ତି। ନଭେମ୍ବର ୧୦ରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହାକୁ ‘ମିଥ୍ୟା ଓ ଉଦ୍ଦେଶ୍ୟପ୍ରଣୋଦିତ’ ବୋଲି କହିଥିଲେ। ଭାରତର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଭଳି ମାମଲାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଥିଲେ।

ବିଦେଶୀ ଅଦାଲତର ନ୍ୟାୟିକ ଦସ୍ତାବିଜ ଭାରତରେ ପହଞ୍ଚାଇବା ପାଇଁ ନିର୍ଦ୍ଧାରିତ କେନ୍ଦ୍ରୀୟ କର୍ତ୍ତୃପକ୍ଷ, ଅର୍ଥାତ୍ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ମାଧ୍ୟମରେ ହିଁ ଅନୁରୋଧ କରାଯିବା ଉଚିତ ବୋଲି ଭାରତ ପକ୍ଷରୁ କୁହାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ, ଆମେରିକା କୋର୍ଟଙ୍କ ଏହି ନିର୍ଦ୍ଦେଶ କେବଳ ମାମଲା ସମ୍ପର୍କିତ ଆଇନଗତ ଦସ୍ତାବିଜ ପହଞ୍ଚାଇବା ପ୍ରକ୍ରିୟାକୁ ନେଇ। ଏହା ପନ୍ନୁନଙ୍କ ଅଭିଯୋଗକୁ ପ୍ରମାଣିତ କରୁନାହିଁ କିମ୍ବା ଡୋଭାଲ ଓ ଗୋଏଲଙ୍କ ବିରୋଧରେ କୌଣସି ଦୋଷ ସାବ୍ୟସ୍ତ ରାୟ ନୁହେଁ।