ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତ ଖର୍ଚ୍ଚ ଓ ଏହାର ଉଦ୍ଦେଶ୍ୟକୁ ନେଇ ରାଜ୍ୟ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ ଏବେ ଓଡ଼ିଶା ରାଜନୀତିକୁ ବେଶ୍ ସରଗରମ କରିଛି। ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ତଦନ୍ତର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭକ୍ତ ଚରଣ ଦାସ କହିଛନ୍ତି ଯେ, ଜଣେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ କୌଣସି ଲୁଚାଛପା କାର୍ଯ୍ୟ ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ଭାବେ ସର୍ବସାଧାରଣରେ ଏବଂ ସରକାରୀ ପ୍ରକ୍ରିୟାରେ ହୋଇଥାଏ। ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ସମୟରେ ନିବେଶ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବିଦେଶ ଗସ୍ତ କରିଥାନ୍ତି। ତେବେ ବର୍ତ୍ତମାନ ହଠାତ୍ ଏହି ପ୍ରସଙ୍ଗରେ ତଦନ୍ତ ଆରମ୍ଭ କରିବାର ଆବଶ୍ୟକତା କ’ଣ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ପିସିସି ସଭାପତି ଆହୁରି କହିଛନ୍ତି ଯେ, ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ବିଦେଶ ଗସ୍ତକୁ ନେଇ କୌଣସି ସନ୍ଦେହ ବା ଅନିୟମିତତା ଥିଲା, ତେବେ ଏତେ ଦିନ ଧରି କାହିଁକି ତଦନ୍ତ କରାଗଲା ନାହିଁ? ଏବେ ଏହି ପ୍ରସଙ୍ଗକୁ ଉଠାଇବା ପଛରେ ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ ଏବଂ ବିଜେଡି ପ୍ରତି ବିଜେପିର ରାଜନୈତିକ ଆଭିମୁଖ୍ୟ କ’ଣ, ତାହା ବିଜେପି ସ୍ପଷ୍ଟ କରିବା ଦରକାର ବୋଲି ସେ ଆହ୍ୱାନ ଦେଇଛନ୍ତି।

ଦେଶର ଗୁଇନ୍ଦା ବ୍ୟବସ୍ଥା ଉପରେ ଆଲୋକପାତ କରି ଶ୍ରୀ ଦାସ କହିଛନ୍ତି ଯେ, ଭାରତର ଗୁଇନ୍ଦା ସଂସ୍ଥା ଯଥେଷ୍ଟ ସୁଦୃଢ଼ ଏବଂ ଦେଶର ଭିଆଇପି ଓ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କ ବିଦେଶ ଗସ୍ତ ସମ୍ପର୍କିତ ସମସ୍ତ ଆବଶ୍ୟକ ତଥ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ରହିଥାଏ। ଏଭଳି ସ୍ଥିତିରେ ଏବେ ନୂଆକରି ତଦନ୍ତ ଘୋଷଣା କରିବା ପଛରେ କେଉଁ ଯୁକ୍ତି ରହିଛି, ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଅନ୍ୟପଟେ, ନିଜର ବିଫଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ଏହି ତଦନ୍ତ ପ୍ରସଙ୍ଗକୁ ଆଗକୁ ଆଣୁଥିବା ଅଭିଯୋଗ କରିଛନ୍ତି ଭକ୍ତ ଚରଣ ଦାସ। ରାଜ୍ୟରେ ସରକାରୀ ଫାଇଲ୍ ଜଳିଯିବା ଘଟଣାଠାରୁ ଆରମ୍ଭ କରି ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ପର୍ଯ୍ୟନ୍ତ ଅନେକ ଗୁରୁତର ପ୍ରସଙ୍ଗ ରହିଛି। ଏହି ସବୁ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଜବାବ ଦେବା ବଦଳରେ ସାଧାରଣ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ବିଦେଶ ଗସ୍ତ ତଦନ୍ତକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି ସେ ଆକ୍ଷେପ କରିଛନ୍ତି।