ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତରେ ହୋଇଥିବା କଥିତ ଅନିୟମିତତାକୁ ନେଇ ରାଜ୍ୟ ବିଜେପି ସରକାରଙ୍କ ତଦନ୍ତ ନିର୍ଦ୍ଦେଶ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିରୋଧୀ ବିଜୁ ଜନତା ଦଳ । ରାଜ୍ୟରେ ନିକଟରେ ହୋଇଥିବା ଭୟଙ୍କର ବନ୍ୟା ଏବଂ ସରକାରଙ୍କ ବିଫଳତାରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ପାଇଁ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବିଜେଡି ଅଭିଯୋଗ କରିଛି।
ରବିବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ଗୌତମ ବୁଦ୍ଧ ଦାସ ଏବଂ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନିଷ୍ପତ୍ତିକୁ ଦଳ ସ୍ୱାଗତ କରୁଛି। ତେବେ ଡବଲ ଇଞ୍ଜିନ୍ ସରକାର ବିପର୍ଯ୍ୟୟ ପରିଚାଳନା, ଆଇନଶୃଙ୍ଖଳା ଏବଂ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଲୋକଙ୍କ ନଜର ହଟାଇବାକୁ ଏହି ଅପ୍ରାସଙ୍ଗିକ ପ୍ରସଙ୍ଗ ଉଠାଯାଇଛି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ପ୍ରଳୟଙ୍କରୀ ବନ୍ୟା ସମ୍ପର୍କରେ ବିଧାନସଭାରେ ଆଲୋଚନା ପାଇଁ ବିଜେଡି ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିଦେଇଛନ୍ତି, କାରଣ ସରକାରଙ୍କ ତ୍ରୁଟି ପଦାରେ ପଡ଼ିଯିବାର ଭୟ ରହିଛି। ପୂର୍ବରୁ ମଧ୍ୟ ବିଜେଡି ଓ ଏହାର ନେତାମାନଙ୍କୁ ଟାର୍ଗେଟ କରି ତିନୋଟି ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ସେଥିରୁ କୌଣସି ଅନିୟମିତତା ପ୍ରମାଣିତ ହୋଇପାରି ନାହିଁ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ତାମିଲନାଡୁ ଚାଲିଯାଇଥିବା ନେଇ ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ଅଭିଯୋଗ କରୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସବୁ ଅଳଙ୍କାର ସୁରକ୍ଷିତ ଥିବା ସରକାର ନିଜେ ସ୍ୱୀକାର କରିଛନ୍ତି। ସେହିପରି ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଅଭିଯୋଗରେ ମଧ୍ୟ ତଦନ୍ତ ଓ କୋର୍ଟରୁ ତାଙ୍କୁ କ୍ଲିନ୍ ଚିଟ୍ ମିଳିସାରିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟ ଫାଇଲ୍ ହଜିବା ଘଟଣା ପାଇଁ ସେ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି।
ଗୌତମ ବୁଦ୍ଧ ଦାସ ସ୍ପଷ୍ଟ କରିଛନ୍ତି ଯେ, ୨୪ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳ ମଧ୍ୟରେ ନବୀନ ପଟ୍ଟନାୟକ ମାତ୍ର ଦୁଇଥର ସରକାରୀ ବିଦେଶ ଗସ୍ତରେ ଯାଇଥିଲେ। ୨୦୨୨ ଜୁଲାଇରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ନିମନ୍ତ୍ରଣ କ୍ରମେ ସେ ଇଟାଲୀ ଗସ୍ତ କରି ଦାରିଦ୍ର୍ୟ ଦୂରୀକରଣ, ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତା ଉପସ୍ଥାପନ କରିଥିଲେ। ଏହା ସହିତ ଦୁବାଇରେ ଶିଳ୍ପପତିଙ୍କ ସମ୍ମିଳନୀ ମାଧ୍ୟମରେ ପ୍ରାୟ ୨୧,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆଣିଥିଲେ।
ସେହିପରି ୨୦୨୩ ଏପ୍ରିଲରେ ଜାପାନ ଗସ୍ତ ସମୟରେ ନିପ୍ପନ ଷ୍ଟିଲ୍ ପ୍ରତିନିଧିଙ୍କ ସହ ଆଲୋଚନା କରି ଓଡ଼ିଶାରେ ନିପ୍ପନ ଷ୍ଟିଲ୍ ଏବଂ ଆର୍ସେଲର ମିତ୍ତଲର ମିଳିତ ବୃହତ୍ ଇସ୍ପାତ ପ୍ରକଳ୍ପ ପାଇଁ ବାଟ ଫିଟାଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପମାନିତ କରିବାର ଏଭଳି ଅପଚେଷ୍ଟାକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।




