କଟକ: ଐତିହାସିକ କଟକ ବାଲିଯାତ୍ରା-୨୦୨୬ ର ସାଂସ୍କୃତିକ ସନ୍ଧ୍ୟାକୁ ଆହୁରି ରଙ୍ଗୀନ ଓ ସ୍ମରଣୀୟ କରିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ବାଲିଯାତ୍ରା ପଡ଼ିଆରେ ସଙ୍ଗୀତ ପ୍ରେମୀଙ୍କ ପାଇଁ ଏକ ବିଶେଷ ଆକର୍ଷଣ ହେବାକୁ ଯାଉଛନ୍ତି ପ୍ରଖ୍ୟାତ ବଲିଉଡ୍ ପ୍ରଚ୍ଛଦପଟ ଗାୟକ ପାପନ୍। ଆସନ୍ତା ନଭେମ୍ବର ୨୬ ତାରିଖରେ ସେ କଟକ ବାଲିଯାତ୍ରାରେ ନିଜର ମନଛୁଆଁ ଲାଇଭ୍ କନସର୍ଟ ପରିବେଷଣ କରିବେ।
ମିଳିଥିବା ସୂଚନା ଅନୁଯାୟୀ, ଏହି ବହୁପ୍ରତୀକ୍ଷିତ ସଙ୍ଗୀତ କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୨୬ ତାରିଖ ସନ୍ଧ୍ୟାରେ କଟକ ବାଲିଯାତ୍ରା ପଡ଼ିଆସ୍ଥିତ ‘ଗଣକବି ବୈଷ୍ଣବ ପାଣି ମଞ୍ଚ’ରେ ଅନୁଷ୍ଠିତ ହେବ। ମହାନଦୀ କୂଳରେ ଖୋଲା ଆକାଶ ତଳେ ପାପନ୍ଙ୍କ ଲାଇଭ୍ ଗାୟନର ଯାଦୁ ଉପଭୋଗ କରିବା ପାଇଁ ସମଗ୍ର ରାଜ୍ୟର ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହି ଘୋଷଣା ହେବା ପରଠାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଥିବା ବେଳେ, ଉକ୍ତ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚ ନିକଟରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି।
ବିଗତ ବର୍ଷଗୁଡ଼ିକରେ ପାପନ୍ ଭାରତୀୟ ସିନେମା ଜଗତକୁ ଅନେକ କାଳଜୟୀ ଓ ହୃଦୟସ୍ପର୍ଶୀ ଗୀତ ଭେଟି ଦେଇଛନ୍ତି। ‘ଦମ୍ ଲଗା କେ ହଇଶା’ ଚଳଚ୍ଚିତ୍ରର ‘ମୋହ ମୋହ କେ ଧାଗେ’ ଗୀତରେ ତାଙ୍କର ଭାବପୂର୍ଣ୍ଣ ଗାୟନ ଆଧୁନିକ ବଲିଉଡ୍ର ସବୁଠାରୁ ଲୋକପ୍ରିୟ ରୋମାଣ୍ଟିକ୍ ଗୀତ ମଧ୍ୟରୁ ଅନ୍ୟତମ, ଯାହା ତାଙ୍କୁ ଦେଶବିଦେଶରେ ଅପାର ଲୋକପ୍ରିୟତା ଆଣିଦେଇଛି। ଏହା ବ୍ୟତୀତ ‘ଦମ୍ ମାରୋ ଦମ୍’ର ‘ଜିୟେଁ କ୍ୟୁଁ’, ‘ବର୍ଫି’ର ‘କ୍ୟୁଁ’, ‘ସୁଲତାନ’ର ‘ବୁଲ୍ଲେୟା’ ଏବଂ ‘ହମାରି ଅଧୁରି କାହାନୀ’ର ‘ହମନୱା’ ଭଳି ସୁପରହିଟ୍ ଗୀତଗୁଡ଼ିକ କେବଳ ଚାର୍ଟବଷ୍ଟର ହୋଇନାହିଁ, ବରଂ ପ୍ରତ୍ୟେକ ସଙ୍ଗୀତ ପ୍ରେମୀଙ୍କ ପ୍ଲେ-ଲିଷ୍ଟର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି।
ନଭେମ୍ବର ୨୬ ତାରିଖ ସନ୍ଧ୍ୟାରେ ପାପନ୍ ନିଜର ସବୁଠାରୁ ଲୋକପ୍ରିୟ ବଲିଉଡ୍ ହିଟ୍, ରୋମାଣ୍ଟିକ୍ ନମ୍ବର ଏବଂ ସୁଫି ଧାରାର ଗୀତ ପରିବେଷଣ କରି କଟକବାସୀଙ୍କୁ ମନ୍ତ୍ରମୁଗ୍ଧ କରିବେ। ବାଲିଯାତ୍ରାର ଏହି ଭବ୍ୟ ସାଂସ୍କୃତିକ ସନ୍ଧ୍ୟା ଚଳିତ ବର୍ଷର ସବୁଠାରୁ ମନେରହିବା ଭଳି କାର୍ଯ୍ୟକ୍ରମ ହେବ ବୋଲି ଆଶା କରାଯାଉଛି।




