ଚା’ ଶିଳ୍ପ ଅଂଶୀଦାରଙ୍କ ସହ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ବୈଠକ

ନୂଆଦିଲ୍ଲୀ: କଳା ଚା’ (Black Tea) ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱର ସର୍ବବୃହତ ଉତ୍ପାଦକ ଭାବେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି। ଏହା ସହିତ ବିଶ୍ୱର ତୃତୀୟ ବୃହତ୍ତମ ଚା’ ରପ୍ତାନିକାରୀ ରାଷ୍ଟ୍ର ଭାବେ ଭାରତ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫–୨୬ ଆର୍ଥିକ ବର୍ଷରେ ଭାରତ ମୋଟ ୨୮୨.୧୧ ନିୟୁତ କିଲୋଗ୍ରାମ ଚା’ ରପ୍ତାନି କରିଛି, ଯାହାର ମୋଟ ମୂଲ୍ୟ ୯୮୮.୧୩ ନିୟୁତ ଆମେରିକୀୟ ଡଲାର ରହିଛି। ଏହି ସଫଳତା ଦେଶର କୃଷି ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ଆୟରେ ଚା’ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରତିପାଦିତ କରୁଛି।

କର୍ସିୟଙ୍ଗଠାରେ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା:

ଅନ୍ୟପକ୍ଷରେ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ପଶ୍ଚିମବଙ୍ଗର କର୍ସିୟଙ୍ଗ (Kurseong) ଠାରେ ‘ଟି ବୋର୍ଡ ଇଣ୍ଡିଆ’ (Tea Board India) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚା’ ଶିଳ୍ପ ସହ ଜଡ଼ିତ ଅଂଶୀଦାରମାନଙ୍କ ସହ ଆଲୋଚନା କରିଛନ୍ତି। ସରକାରୀ ବିବୃତ୍ତି ଅନୁଯାୟୀ, ଏହି ବୈଠକରେ ଦାର୍ଜିଲିଂ ଚା’ ଶିଳ୍ପର ପୁନରୁଦ୍ଧାର, ଚା’ ନିଲାମ ବ୍ୟବସ୍ଥାକୁ ଅଧିକ ତ୍ୱରିତ ଓ ସୁଦୃଢ଼ କରିବା, ଚା’ ଗବେଷଣା, ଗୁଣବତ୍ତା ବୃଦ୍ଧି, ରପ୍ତାନି ପ୍ରୋତ୍ସାହନ ଏବଂ ଚା’ ବଗିଚା ଶ୍ରମିକଙ୍କ କଲ୍ୟାଣ ଭଳି ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା।

ପ୍ରଚଳିତ ଚା’ ନିଲାମ ବ୍ୟବସ୍ଥାକୁ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ କରିବା ପାଇଁ ବୈଠକରେ ବ୍ୟାପକ ମନ୍ଥନ କରାଯାଇଛି। ଏଥିରେ ପ୍ରଯୁକ୍ତିବିଦ୍ୟା ଆଧାରିତ ସଂସ୍କାର, ଅଧିକ ସ୍ୱଚ୍ଛତା ଏବଂ କାରବାର ଜନିତ ସମସ୍ୟା ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିବୃତ୍ତିରେ କୁହାଯାଇଛି ଯେ, ପ୍ରକ୍ରିୟାକୁ ସରଳ କରିବା ଏବଂ ସମଗ୍ର ଚା’ ମୂଲ୍ୟ ଶୃଙ୍ଖଳାରେ ଅଂଶୀଦାରଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ‘ଇଜ୍ ଅଫ୍ ଡୁଇଂ ବିଜନେସ୍’କୁ ପ୍ରାଥମିକତା ଦିଆଯାଉଛି।

ଭାରତ ସରକାରଙ୍କ ‘ରପ୍ତାନି ପ୍ରୋତ୍ସାହନ ମିଶନ’ଅଧୀନରେ ଥିବା ସୁଯୋଗଗୁଡ଼ିକର ସଠିକ୍ ବିନିଯୋଗ କରି ଆନ୍ତର୍ଜାତୀୟ ବଜାରରେ ଭାରତୀୟ ଚା’ର ଉପସ୍ଥିତି ବଢ଼ାଇବା ଉପରେ ଅଂଶୀଦାରମାନେ ପରାମର୍ଶ ଦେଇଥିଲେ। ପାରମ୍ପରିକ ଏବଂ ନୂତନ ବଜାରରେ ଭାରତୀୟ ଚା’ର ପ୍ରଚାର ପାଇଁ ସରକାର, ଟି ବୋର୍ଡ ଇଣ୍ଡିଆ ଏବଂ ଶିଳ୍ପ ଜଗତ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। ଏହା ସହିତ ଚା’ ବଗିଚା ଶ୍ରମିକ ଏବଂ ସେମାନଙ୍କ ପରିବାରର କଲ୍ୟାଣ ମଧ୍ୟ ଆଲୋଚନାର ଏକ ପ୍ରମୁଖ ବିଷୟ ରହିଥିଲା।