ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ବିକାଶ ସାଙ୍କୃତ୍ୟାୟନ ଓରଫ ବିକାଶ ପାଣ୍ଡେଙ୍କ ଦ୍ୱାରା ଦାୟର କରାଯାଇଥିବା ୮ ବର୍ଷ ପୁରୁଣା ଏକ ଅପରାଧିକ ମାନହାନୀ ମାମଲାରେ କୋର୍ଟ ଏହି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ‘ବିଜେପି ଆଇଟି ସେଲ୍ ପାର୍ଟ ୨’ ଶୀର୍ଷକ ଏକ ଭିଡିଓକୁ ନେଇ ଏହି ମାମଲା ଚାଲିଛି।

କୋର୍ଟରେ ବାରମ୍ବାର ହାଜର ହେବାରେ ବିଫଳ ହେବା ପରେ ସାକେତ ଅଦାଲତ ଧ୍ରୁବ ରାଠୀଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରିଛନ୍ତି। ଶୁଣାଣି ସମୟରେ ତାଙ୍କୁ ଅଦାଲତରେ ହାଜର କରାଇବାରେ ହେଉଥିବା ଲଗାତାର ଅସୁବିଧାକୁ କୋର୍ଟ ଗୁରୁତର ସହ ନେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୩ ତାରିଖରେ ହେବା ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଅକ୍ଟୋବର ୩୧ ତାରିଖରେ ଅଦାଲତ ଧ୍ରୁବ ରାଠୀଙ୍କ ବିରୋଧରେ ଏକ ନୂତନ ଜାମିନଯୋଗ୍ୟ ୱାରେଣ୍ଟ ଜାରି କରିଥିଲେ ଏବଂ ଏହାକୁ ତାଙ୍କ ଗୁରୁଗ୍ରାମ ଠିକଣାରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ତା’ପୂର୍ବରୁ ଅକ୍ଟୋବର ୧୭ ତାରିଖରେ ମଧ୍ୟ କୋର୍ଟ ଏକ ଜାମିନଯୋଗ୍ୟ ୱାରେଣ୍ଟ ଜାରି କରିଥିଲେ, କାରଣ ତାଙ୍କ ବାସଭବନରେ ତାଲା ପଡ଼ିଥିବାରୁ ସମନ ଦିଆଯାଇପାରିନଥିଲା। ଅଷ୍ଟ୍ରିଆର ଏକ ଭୁଲ ଠିକଣାରେ ୱାରେଣ୍ଟ ଜାରି ହୋଇଥିବାରୁ ଅକ୍ଟୋବର ୧୭ର ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ ହୋଇପାରିନଥିଲା।

ଏହି ସମ୍ପୂର୍ଣ୍ଣ ମାମଲା ୨୦୧୮ ମସିହାରେ ପ୍ରକାଶିତ ‘ବିଜେପି ଆଇଟି ସେଲ୍ ପାର୍ଟ ୨’ ଭିଡିଓ ସହିତ ଜଡ଼ିତ। ସୋସିଆଲ ମିଡିଆ ପେଜ୍ ‘ଆଇ ସପୋର୍ଟ ନରେନ୍ଦ୍ର ମୋଦୀ’ର ପ୍ରତିଷ୍ଠାତା ବିକାଶ ପାଣ୍ଡେ ଅଭିଯୋଗ କରିଥିଲେ ଯେ, ଏହି ଭିଡିଓ ତାଙ୍କ ସମ୍ମାନ ହାନି କରିଛି। ୨୦୧୮ରେ ଆମ୍ ଆଦମୀ ପାର୍ଟି (AAP) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ଭିଡିଓକୁ ରିଟ୍ୱିଟ୍ କରିଥିଲେ, ଯାହାକୁ ନେଇ ସେ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ନିଜର ଭୁଲ ସ୍ୱୀକାର କରିଥିଲେ। ୨୦୧୯ ମସିହାରୁ ଧ୍ରୁବ ରାଠୀ ବିଦେଶରେ ରହୁଥିବାରୁ ତାଙ୍କୁ ସମନ ଜାରି କରିବାରେ ବିଳମ୍ବ ହେଉଥିବା ଅଭିଯୋଗକାରୀ ଦାବି କରିଆସୁଛନ୍ତି। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ମାନହାନୀଜନକ ବିଷୟବସ୍ତୁକୁ ରିଟ୍ୱିଟ୍ କରିବା ଦ୍ୱାରା ଭାରତୀୟ ଦଣ୍ଡ ସଂହିତା (IPC) ଧାରା ୪୯୯ ଅଧୀନରେ ମାମଲା ରୁଜୁ ହୋଇପାରିବ ବୋଲି ସ୍ପଷ୍ଟ କରିଥିଲେ।