ଭୁବନେଶ୍ୱର: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କୋର୍ଟରେ ଆତ୍ମସମର୍ପଣ କରି ଜେଲ୍ ଯିବା ପରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ସରକାରୀ ଚାକିରିରୁ ନିଲମ୍ବନ କରାଯାଇଛି। ଓଡ଼ିଶା ପ୍ରାଣୀସମ୍ପଦ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି।

ଗତ ନଭେମ୍ବର ୨ ତାରିଖରେ ବିଦ୍ୟାଭାରତୀ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିବାରୁ ସେହିଦିନଠାରୁ ପିଛିଲା ଭାବେ ଏହି ନିଲମ୍ବନ ଆଦେଶ କାର୍ଯ୍ୟକାରୀ ହେବ। ପାରଳାଖେମୁଣ୍ଡି ଥାନା ଆଇଆଇସି ଏବଂ ଗଜପତି ଜିଲ୍ଲା ଏସ୍‌ଡିଜେଏମ୍ କୋର୍ଟଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ନିର୍ଦ୍ଦେଶାଳୟର ଆଦେଶ ଅନୁଯାୟୀ, ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପର୍ଯ୍ୟନ୍ତ ଓଡ଼ିଶା ବେସାମରିକ ସେବା (ବର୍ଗୀକରଣ, ନିୟନ୍ତ୍ରଣ ଓ ଅପିଲ୍) ନିୟମାବଳୀ, ୧୯୬୨ର ଧାରା ୧୨(୨) ଅନୁଯାୟୀ ତାଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବନ ସମୟରେ ସେ ଓଡ଼ିଶା ସର୍ଭିସ୍ କୋଡ୍‌ର ନିୟମ ୯୦(କ) ଅନୁସାରେ ଜୀବନଧାରଣ ଭତ୍ତା ପାଇବେ ଏବଂ ତାଙ୍କର ମୁଖ୍ୟାଳୟ ମୟୂରଭଞ୍ଜ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଭାବେ ସ୍ଥିର କରାଯାଇଛି। ଆତ୍ମସମର୍ପଣ କରିବା ପୂର୍ବରୁ ସେ ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଅଧୀନ ସାଲଚୁଆ ପ୍ରାଣୀଧନ ସହାୟତା କେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିଲେ।

ନଭେମ୍ବର ୨ରେ କୋର୍ଟରେ ହାଜର ହେବା ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା ଏବଂ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ, ୨୦୨୧ ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡି ସରକାରୀ ବାସଭବନରେ ସୌମ୍ୟରଞ୍ଜନ ସନ୍ଦେହଜନକ ଭାବେ ୮୦ ପ୍ରତିଶତ ପୋଡ଼ି ହୋଇଯାଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପରିବାର ଲୋକେ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ।