ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାରେ ସବ୍-ଇନ୍ସପେକ୍ଟର (SI) ଭାବେ କାର୍ଯ୍ୟରତ ପ୍ରଭାସିନୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ଏହି ଘଟଣାରେ ମୃତାଙ୍କ ବାପା ଭୀମସେନ ସାହୁ ମୁହଁ ଖୋଲିବା ସହ ଝିଅର ଶାଶୂଘର ଲୋକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଆଜି ଯାଜପୁର ଜିଲ୍ଲା ଦଶରଥପୁର ଥାନାରେ ସେ ଲିଖିତ ଅଭିଯୋଗ ଦାଖଲ କରି ଶାଶୂ, ଶ୍ୱଶୁର ଏବଂ ସ୍ୱାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମୃତା ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ମାନସିକ ଚାପ ଯୋଗୁଁ ପୋଲିସ ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଥିଲେ। କିନ୍ତୁ ଝିଅର ସ୍ୱାମୀ, ଶାଶୂ ଏବଂ ଶ୍ୱଶୁର ଚାକିରି ନ ଛାଡ଼ିବା ପାଇଁ ସବୁବେଳେ ଚାପ ପକାଉଥିଲେ। ଚାକିରି କଲେ ଘରକୁ ପଇସା ଆସିବ ବୋଲି କହି ସେମାନେ ପ୍ରଭାସିନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବାପା ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କ ଝିଅ ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସେ ଦାବି କରି ଏହି ଦିଗରେ ନିରପେକ୍ଷ ତଦନ୍ତ କରିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରେ ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ସରକାରୀ କ୍ୱାର୍ଟର୍ସରୁ ୨ ମାସର ଗର୍ଭବତୀ ଥିବା ଏସ୍‌ଆଇ ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପ୍ରଭାସିନୀ ସେଠାରେ ଏକୁଟିଆ ରହୁଥିବା ବେଳେ ରେଳବାଇରେ କାର୍ଯ୍ୟରତ ତାଙ୍କ ସ୍ୱାମୀ ରାଉରକେଲାରେ ରହୁଛନ୍ତି। କର୍ମକ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଦାୟିତ୍ୱ ସଫଳତାର ସହ ତୁଲାଉଥିବା ପ୍ରଭାସିନୀଙ୍କ ଏଭଳି ଅକାଳ ବିୟୋଗକୁ ସହକର୍ମୀମାନେ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ଏହି ଘଟଣାରେ ପୁରୁଷୋତ୍ତମପୁର ପୋଲିସ କେସ୍ ନମ୍ବର ୩୩/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗଞ୍ଜାମ ଏସ୍‌ପି ହରୀଶ ବିସି, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ କୁମାର ନାୟକ ଏବଂ ଥାନାଧିକାରୀ କୁଳମଣି ସେଠୀଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି। ଅନ୍ୟପକ୍ଷରେ, ଓଡ଼ିଶା ପୋଲିସ ବିଭାଗରେ ବହୁ ଏସ୍‌ଆଇ ପଦବୀ ଖାଲି ପଡ଼ିଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ଏଭଳି ଅଘଟଣ ଘଟୁଥିବା ଓଡ଼ିଶା ପୋଲିସ ଅଫିସର ସଂଘ ସଭାପତି ରସିତ୍ ରଞ୍ଜନ ଜେନା ଅଭିଯୋଗ ଆଣିଛନ୍ତି।