ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ (JNV)ର ଅଧ୍ୟକ୍ଷଙ୍କ ବିରୋଧରେ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ ଅଶାଳୀନ ଆଚରଣ କରିଥିବା ଅଭିଯୋଗରେ ଝାରସୁଗୁଡ଼ା ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଓ ଉଦ୍‌ବେଗ ସୃଷ୍ଟି କରିଛି।

ଅଭିଯୋଗ ଅନୁଯାୟୀ, ଗତ ନଭେମ୍ବର ୨୩ ତାରିଖରେ ଏହି ଘଟଣା ଘଟିଥିଲା। ପୀଡ଼ିତା ନାବାଳିକା ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟର ଅଧ୍ୟକ୍ଷ ସାଗର ସାହା (୫୪) ତାଙ୍କ ସହ ଦୁର୍ବ୍ୟବହାର କରିବା ସହିତ ଅଶ୍ଳୀଳ ଓ ଅଶାଳୀନ ଭାଷାରେ କଥାବାର୍ତ୍ତା କରିଥିଲେ। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଝାରସୁଗୁଡ଼ା ସଦର ପୋଲିସ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମାମଲା ରୁଜୁ କରାଯାଇଛି।

ପୋଲିସ ଏହି ଘଟଣାରେ ପୋକ୍ସୋ ଆକ୍ଟ (POCSO Act) ସହିତ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୭୪, ୭୫ ଏବଂ ୭୯ ଅଧୀନରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ପ୍ରକ୍ରିୟା ଅଧୀନରେ ଉଭୟ ଅଭିଯୁକ୍ତ ଅଧ୍ୟକ୍ଷ ଏବଂ ପୀଡ଼ିତା ନାବାଳିକା ଛାତ୍ରୀଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି।

ଝାରସୁଗୁଡ଼ା ଏସ୍‌ପି ସୋନାଲି ପରମାର ଏହି ମାମଲା ରୁଜୁ ହୋଇଥିବା ନେଇ ନିଶ୍ଚିତ କରିବା ସହ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏସ୍‌ପି କହିଛନ୍ତି ଯେ, “ଜବାହର ନବୋଦୟ ବିଦ୍ୟାଳୟର ମୁଖ୍ୟଙ୍କ ବିରୋଧରେ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆସିଛି। ଆମେ ଘଟଣାର ତଦନ୍ତ କରୁଛୁ ଏବଂ ସେହି ଅନୁଯାୟୀ ଆଇନଗତ ପଦକ୍ଷେପ ନିଆଯାଉଛି। ଆମେ ପ୍ରମାଣ ସଂଗ୍ରହ କରୁଛୁ ଏବଂ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ। ଏହା ଏକ ପୋକ୍ସୋ ମାମଲା, ଯାହା ଆମ ପାଇଁ ସର୍ବଦା ପ୍ରାଥମିକତା। ଆମେ ଶୀଘ୍ର ବିଚାର ଏବଂ ଦଣ୍ଡବିଧାନ ପାଇଁ ପ୍ରୟାସ କରିବୁ।”

ସଦର ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ସମସ୍ତ ଦିଗରୁ ଛାନଭିନ୍ ଜାରି ରହିଥିବା ବେଳେ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି।