କାଠମାଣ୍ଡୁ: ଗତ ଅଗଷ୍ଟ ୨୬ ତାରିଖରେ ନେପାଳରେ ଘଟିଥିବା ଭୟଙ୍କର ବନ୍ୟା ପରେ ନିଖୋଜ ହୋଇଥିବା ଭାରତୀୟ ନାଗରିକମାନଙ୍କ ପରିବାରବର୍ଗଙ୍କୁ ନେପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ନିଖୋଜ ଭାରତୀୟଙ୍କ ତାଲିକା ଯାଞ୍ଚ କରିବାକୁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ଅନୁରୋଧ କରିଛି। ପରିବାରବର୍ଗ କୌଣସି ଆପତ୍ତି, ସଂଶୋଧନ କିମ୍ବା ସୂଚନା ଥିଲେ ଆସନ୍ତା ଡିସେମ୍ବର ୨ ତାରିଖ ସୁଦ୍ଧା ଦାଖଲ କରିପାରିବେ ବୋଲି ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ନିଖୋଜ ବ୍ୟକ୍ତିମାନଙ୍କୁ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିବାର ପ୍ରକ୍ରିୟା ଅନ୍ତର୍ଗତ ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା ପ୍ରାଧିକରଣ (NDRRMA) ୨୧୩ ଜଣ ନିଖୋଜ ଭାରତୀୟ ନାଗରିକଙ୍କ ତାଲିକା ପ୍ରକାଶ କରିଛି। ଏହି ବିପର୍ଯ୍ୟୟରେ ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ବିଦେଶୀ ନାଗରିକଙ୍କ ସମେତ ୫,୦୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିବାକୁ ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି।
ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ଅବବାହିକାରେ ଘଟିଥିବା ଏହି ବନ୍ୟାରେ ପ୍ରାୟ ଏକ ଡଜନ ଜଳବିଦ୍ୟୁତ୍ ପ୍ରକଳ୍ପ ସମେତ ବ୍ୟାପକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। NDRRMA ପକ୍ଷରୁ ନିଖୋଜ ଭାରତୀୟଙ୍କ ତାଲିକା ସାର୍ବଜନୀନ କରାଯାଇ ଏଥିରେ ନାମ ଯୋଡ଼ିବା, ବାଦ୍ ଦେବା କିମ୍ବା ବିବରଣୀ ସଂଶୋଧନ ପାଇଁ ଆବେଦନ ଓ ଆପତ୍ତି ଆହ୍ୱାନ କରାଯାଇଛି।
ଭାରତୀୟ ଦୂତାବାସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଡିସେମ୍ବର ୨, ୨୦୨୬ ସୁଦ୍ଧା ମତାମତ ଏବଂ ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ନେପାଳ ସରକାର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରି ଆନୁଷ୍ଠାନିକ ମୃତ୍ୟୁ ଘୋଷଣା ଜାରି କରିବେ। ଏହା ପରେ ନେପାଳର ସମ୍ପୃକ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମୃତ୍ୟୁ ପ୍ରମାଣପତ୍ର ହାସଲ କରିବା ପ୍ରକ୍ରିୟା ଦୂତାବାସ ଆରମ୍ଭ କରିବ। ଆବଶ୍ୟକ ସ୍ଥଳେ ପରିବାରବର୍ଗଙ୍କଠାରୁ ଅତିରିକ୍ତ ତଥ୍ୟ ଓ ଦସ୍ତାବିଜ ମଗାଯାଇପାରେ ଏବଂ ଆଗାମୀ ଦିନରେ ଏନେଇ ଅଧିକ ସୂଚନା ଦିଆଯିବ ବୋଲି ଦୂତାବାସ ଜଣାଇଛି।
NDRRMA ନୋଟିସ୍ ଅନୁଯାୟୀ, ୧୨ଟି ଦେଶର କୂଟନୈତିକ ମିଶନ ମାଧ୍ୟମରେ ୪୫୨ ଜଣ ନିଖୋଜ ବିଦେଶୀ ନାଗରିକଙ୍କ ସତ୍ୟାସତ୍ୟ ଯାଞ୍ଚ ହୋଇଥିବା ତଥ୍ୟ ମିଳିଛି। ଏହି ତାଲିକାରେ ୨୧୩ ଭାରତୀୟଙ୍କ ବ୍ୟତୀତ ୮୫ ଚୀନା, ୬୯ ଆମେରିକୀୟ, ୩୨ ବ୍ରିଟିଶ, ୨୭ କାନାଡ଼ୀୟ, ୯ ସିଙ୍ଗାପୁର, ୬ ଦକ୍ଷିଣ ଆଫ୍ରିକା, ୪ ଫରାସୀ, ହଙ୍ଗେରୀ, ବେଲଜିୟମ ଓ କାଜାଖସ୍ତାନର ୨ ଜଣ ଲେଖାଏଁ ଏବଂ ଜଣେ ବେଲାରୁଷ ନାଗରିକ ସାମିଲ ଅଛନ୍ତି।




