ଭୁବନେଶ୍ୱର: ସ୍ୱର୍ଗତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ନିୟମିତ ଜାମିନ ଆବେଦନ କରି ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ନଭେମ୍ବର ୧୮ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ପରେ ବିଦ୍ୟାଭାରତୀ ହାଇକୋର୍ଟରେ ନିୟମିତ ଜାମିନ ପାଇଁ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୩୧ ତାରିଖରେ ଓଡ଼ିଶା ହାଇକୋର୍ଟ ବିଦ୍ୟାଭାରତୀ ପଣ୍ଡାଙ୍କ ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ। ହାଇକୋର୍ଟରୁ ଆଗୁଆ ଜାମିନ ଖାରଜ ହେବା ପରେ ସେ ଗତ ନଭେମ୍ବର ୨ ତାରିଖରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ (SDJM) କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ଆତ୍ମସମର୍ପଣ ପରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ବିଦ୍ୟାଭାରତୀ:

ବିଦ୍ୟାଭାରତୀ ପଣ୍ଡା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଶାଳଚୁଆ ପ୍ରାଣୀଧନ ସହାୟକ କେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିଲେ। ପାରଳାଖେମୁଣ୍ଡି କୋର୍ଟରେ ଆତ୍ମସମର୍ପଣ କରିବା ପରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ନଭେମ୍ବର ୨ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବା ସହ ଚାକିରିରୁ ନିଲମ୍ବନ କରାଯାଇଛି।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବା ବେଳେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ନିମ୍ନ ଅଦାଲତରେ ନିୟମିତ ଜାମିନ ଆବେଦନ ଖାରଜ ହେବା ପରେ ଏବେ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ଏହି ଜାମିନ ଆବେଦନର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।