କଟକ: ଅଦାଲତଙ୍କ ଅନ୍ତରୀଣ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ମାମଲାରେ ରାଉରକେଲାସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ନଭେମ୍ବର ୨୭ ତାରିଖ ସକାଳ ୧୦ଟା ୩୦ରେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ନଭେମ୍ବର ୧୨ର ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ
କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ ଏବଂ ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜେଶ କୁମାର ସାହୁଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୧୨ ତାରିଖରେ ହାଇକୋର୍ଟ ଦେଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଜାଣିଶୁଣି ଉଲ୍ଲଂଘନ କରାଯାଇଥିବା ଖଣ୍ଡପୀଠ ମତ ଦେଇଛନ୍ତି।
ଏହି ଉଲ୍ଲଂଘନ ଅଭିଯୋଗରେ ଆଞ୍ଚଳିକ ଅଧିକାରୀଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ନାହିଁ, ସେନେଇ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ କୋର୍ଟ କହିଛନ୍ତି।
ମଦ ଦୋକାନ ବନ୍ଦ ନିର୍ଦ୍ଦେଶକୁ ନେଇ ବିବାଦ
ମାମଲାର ବିବରଣୀ ଅନୁସାରେ, ମହୁଲ ଫୁଲ ଓ କାଜୁରୁ ପ୍ରସ୍ତୁତ ଦେଶୀ ମଦ ଦୋକାନ ବନ୍ଦ କରିବା ସଂପର୍କିତ ଏକ ନିର୍ଦ୍ଦେଶକୁ ନେଇ ବିବାଦ ଉପୁଜିଥିଲା। ନଭେମ୍ବର ୧୧ ତାରିଖରେ ଦୋକାନ ବନ୍ଦ କରିବା ସଂପର୍କରେ ଜାରି ନିର୍ଦ୍ଦେଶର କାର୍ଯ୍ୟକାରିତା ଉପରେ ହାଇକୋର୍ଟ ପରଦିନ ଅର୍ଥାତ୍ ନଭେମ୍ବର ୧୨ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।
ତେବେ ଏହି ରହିତାଦେଶ ସତ୍ତ୍ୱେ ତାଙ୍କୁ ଦୋକାନ ଖୋଲିବାକୁ ଅନୁମତି ମିଳି ନଥିବା ଆବେଦନକାରୀ ରାଜେଶ କୁମାର ସାହୁ ଅଦାଲତଙ୍କୁ ଜଣାଇଛନ୍ତି।
ପରିବେଶ ମଞ୍ଜୁରୀକୁ ନେଇ ମଧ୍ୟ ପ୍ରଶ୍ନ
ମହୁଲ ଫୁଲ କିମ୍ବା କାଜୁରୁ ଦୈନିକ ୧୦ କିଲୋଲିଟର ପର୍ଯ୍ୟନ୍ତ ମଦ ଉତ୍ପାଦନ କ୍ଷେତ୍ରରେ ପରିବେଶ ମଞ୍ଜୁରୀ ପ୍ରମାଣପତ୍ର ଆବଶ୍ୟକତା ସଂପର୍କିତ କେନ୍ଦ୍ର ସରକାରଙ୍କ ଚିଠା ବିଜ୍ଞପ୍ତିକୁ ଆଧାର କରି ଆବେଦନକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଉତ୍ପାଦନ କ୍ଷମତା ଦୈନିକ ୧୦ କିଲୋଲିଟରରୁ କମ୍ ହୋଇଥିବାରୁ ଏହି ପରିବେଶ ମଞ୍ଜୁରୀ ନିୟମ ତାଙ୍କ କ୍ଷେତ୍ରରେ ଲାଗୁ ହେଉନାହିଁ ବୋଲି ସେ ଆବେଦନରେ ଦର୍ଶାଇଥିଲେ।
ଅନ୍ୟପକ୍ଷରେ, ଚୂଡ଼ାନ୍ତ ବିଜ୍ଞପ୍ତି ଦାଖଲ ପାଇଁ ପୂର୍ବରୁ ପ୍ରତିପକ୍ଷ ସମୟ ନେଇଥିଲେ ମଧ୍ୟ ତାହା ଦାଖଲ ନକରି ଦୋକାନ ବନ୍ଦ ନିର୍ଦ୍ଦେଶ ଜାରି କରାଯାଇଥିବା ନେଇ ହାଇକୋର୍ଟ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଥିଲେ।
ଏବେ ଅନ୍ତରୀଣ ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବା ଅଭିଯୋଗରେ ଆଞ୍ଚଳିକ ଅଧିକାରୀଙ୍କୁ ନଭେମ୍ବର ୨୭ରେ ବ୍ୟକ୍ତିଗତ ହାଜର ହୋଇ ନିଜ ପକ୍ଷ ରଖିବାକୁ ପଡ଼ିବ।




