ନୂଆଦିଲ୍ଲୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗୁରୁଗ୍ରାମସ୍ଥିତ ‘ସାଇ କା ଅଙ୍ଗନ’ଠାରେ ବୋଇତ ବନ୍ଦାଣ ଏବଂ ଶ୍ରୀଗୁରୁ ଭାଗବତ ଜନ୍ମୋତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ଓଡ଼ିଶାର ଅନନ୍ୟ ବୋଇତ ବନ୍ଦାଣ ପରମ୍ପରା ଏବଂ ଶ୍ରୀଗୁରୁ ଭାଗବତ ଜନ୍ମୋତ୍ସବର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।
ଉତ୍ସବ ଆରମ୍ଭରେ ୨୪ଟି ଭାରତୀୟ ଭାଷାରେ ଅନୂଦିତ ପବିତ୍ର ଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’କୁ ବିଭିନ୍ନ ଭାଷାର ପ୍ରତିନିଧିମାନଙ୍କ ଦ୍ୱାରା ଏକ ସୁସଜ୍ଜିତ ପାଲିଙ୍କିରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଅଣାଯାଇଥିଲା। ଏହା ପରେ ଗୁରୁଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପୂଜାର୍ଚ୍ଚନା କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶ୍ରଦ୍ଧାଳୁମାନଙ୍କୁ ସମ୍ବୋଧିତ କରି ଗୁରୁଜୀ କାର୍ତ୍ତିକ ପୂର୍ଣ୍ଣିମା, ପ୍ରାଚୀନ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସ ଏବଂ ଶ୍ରୀଗୁରୁ ଭାଗବତର ସୃଷ୍ଟିଠାରୁ ଆରମ୍ଭ କରି ଏହାର ଦୀର୍ଘ ଯାତ୍ରା ବିଷୟରେ ବର୍ଣ୍ଣନା କରିଥିଲେ।
ଏହି ଅବସରରେ ଗୁରୁଜୀ ଅବତାର ତତ୍ତ୍ୱ, ବ୍ରହ୍ମ ଶକ୍ତି, ସଦଗୁରୁ ଶକ୍ତି ଏବଂ ଧର୍ମ ଭଳି ଗୂଢ଼ ଆଧ୍ୟାତ୍ମିକ ବିଷୟ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଜୀବନରେ ମନ ମଧ୍ୟରେ ଉଠୁଥିବା ପ୍ରଶ୍ନ ଓ ସନ୍ଦେହର ସମାଧାନ କରିବାରେ ଶ୍ରୀଗୁରୁ ଭାଗବତ ସହାୟକ ହୋଇଥାଏ। ସେଥିପାଇଁ ଜାତି, ଭାଷା ଏବଂ ସୀମା ସରହଦରୁ ଊର୍ଦ୍ଧ୍ୱରେ ରହି ଏହା ସର୍ବଜନଗ୍ରହଣୀୟ ହୋଇପାରିଛି। ଈର୍ଷା, ଅହଂକାର ଏବଂ କ୍ରୋଧ ଭଳି ପ୍ରବୃତ୍ତିକୁ ତ୍ୟାଗ କରି ଶୁଦ୍ଧ ଭାବ ଓ ମନ ଦ୍ୱାରା ଈଶ୍ୱର ଭକ୍ତି ସହଜ ହୋଇଥାଏ। ଯୋଗ୍ୟ ଗୁରୁଙ୍କ ମାର୍ଗଦର୍ଶନ ମାଧ୍ୟମରେ ହିଁ ଦ୍ୱୈତଭାବରୁ ମୁକ୍ତି ମିଳିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଉତ୍ସବରେ ଅଣ-ଓଡ଼ିଆ ଶ୍ରଦ୍ଧାଳୁମାନେ ସୁମଧୁର କଣ୍ଠରେ ଓଡ଼ିଆରେ ଶ୍ରୀଗୁରୁ ଭାଗବତ ପାଠ କରିଥିବା ବେଳେ ‘ସାଇ କା ଅଙ୍ଗନ’ର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଗୁରୁଜୀ ‘ଶ୍ରୀଗୁରୁ ଭାଗବତ ତେଲୁଗୁ’ ୟୁଟ୍ୟୁବ୍ ଚ୍ୟାନେଲର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ଉପ-ସେନାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି, କେନ୍ଦ୍ର ସଚିବ ନିକୁଞ୍ଜ କିଶୋର ଧଳ, ପୂର୍ବତନ ଡିଜି ଅରୁଣ କୁମାର ଏବଂ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ବୈଜ୍ଞାନିକ ପରାମର୍ଶଦାତା ଡଃ ସତୀଶ ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ ଉତ୍ତର ପ୍ରଦେଶ, ଆସାମ, ଛତିଶଗଡ଼, ବିହାର, ଗୁଜରାଟ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସମେତ ଓଡ଼ିଶାର ୪୦ରୁ ଅଧିକ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ, ମନ୍ଦିର ଓ ମଠରେ ଶ୍ରୀଗୁରୁ ଭାଗବତ ଜୟନ୍ତୀ ଭକ୍ତିଭାବର ସହ ପାଳିତ ହୋଇଛି।




