ଭଦ୍ରକ: ଭଦ୍ରକ ବ୍ଲକ୍ରେ ବିଜେପିର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଏବେ ଖୋଲାଖୋଲି ସାମ୍ନାକୁ ଆସିଛି। ବ୍ଲକ୍ ଅଧ୍ୟକ୍ଷା ଊର୍ମିଳା ନାୟକଙ୍କ ବିରୋଧରେ ଦଳୀୟ କର୍ମୀ ଓ ନେତାମାନେ ଆନ୍ଦୋଳନ କରି ତାଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିବା ବେଳେ ସୋମବାର ସମର୍ଥକଙ୍କ ସହ ସେ ତାଲା ଖୋଲି ଅଫିସ୍ ଭିତରକୁ ପ୍ରବେଶ କରିଛନ୍ତି।
ଗତ ରବିବାର ଶତାଧିକ ବିଜେପି କର୍ମୀ ଓ ନେତା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଊର୍ମିଳା ନାୟକ ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ କରୁଥିବା, ବିକାଶମୂଳକ କାମରେ ବାଧା ସୃଷ୍ଟି କରୁଥିବା ଏବଂ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ ଆନ୍ଦୋଳନକାରୀ। ତାଙ୍କୁ ଦଳରୁ ନିଲମ୍ବନ କିମ୍ବା ବହିଷ୍କାର କରିବାକୁ ମଧ୍ୟ ଦାବି ହୋଇଥିଲା। ଏହାପରେ ତାଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଥିଲା।
ଅନ୍ୟପକ୍ଷରେ ଊର୍ମିଳା ନାୟକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିକାଶମୂଳକ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ତାଙ୍କୁ କାମ କରିବାକୁ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି। ପଲ୍ଲୀସଭା ଓ ଗ୍ରାମସଭାର ଅନୁମୋଦନ ବିନା କିଛି ଯୋଜନା କରାଯାଉଥିବାରୁ ସେ ଆପତ୍ତି ଉଠାଇଥିଲେ ଏବଂ ଏହି ପ୍ରସଙ୍ଗରେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି।
ସୋମବାର ଅଫିସ୍ର ତାଲା ଖୋଲିବା ପରେ ଊର୍ମିଳା କହିଛନ୍ତି, ଦଳର ଶୀର୍ଷ ନେତୃତ୍ୱ ତାଙ୍କୁ ଅବହେଳା କରିନାହାନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କୁ କେବେ ବିରୋଧ କରିନାହାନ୍ତି ବୋଲି ସେ କହିଛନ୍ତି। ଏହା ଲୋକଙ୍କ ସରକାର ଏବଂ ସେ ଲୋକଙ୍କ ପାଇଁ କାମ କରିବେ। ଦୁର୍ନୀତିମୁକ୍ତ ଭାବେ କାର୍ଯ୍ୟ କରିବା ତାଙ୍କର ଦାୟିତ୍ୱ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଊର୍ମିଳା ନାୟକ ପୂର୍ବରୁ ବିଜେଡିରେ ଥିଲେ। ଗତବର୍ଷ ସେ ବିଜେପିରେ ଯୋଗ ଦେଇଥିଲେ। ଭଦ୍ରକ ବ୍ଲକ୍ର ବିକାଶମୂଳକ ଯୋଜନାକୁ ନେଇ ତାଙ୍କ ଓ ଦଳର ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ମତଭେଦ ଦେଖାଦେଇଥିବା ବେଳେ ଏହା ଏବେ ସାର୍ବଜନୀନ ବିବାଦର ରୂପ ନେଇଛି।




