ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୋମବାର ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବଜ୍ରାଘାତରେ କେନ୍ଦୁଝର, ମୟୂରଭଞ୍ଜ ଓ କଟକ ଜିଲ୍ଲାରେ ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ବାଲେଶ୍ୱର ଜିଲ୍ଲାରେ ବଜ୍ରପାତରେ ଏକ ପରିବାରର ୮ ଜଣ ଆହତ ହେବା ସହ ୩ଟି ଛେଳିର ମୃତ୍ୟୁ ଘଟିଛି।
କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ୍ ଅନ୍ତର୍ଗତ ଅର୍ଜୁନବିଲା ଗ୍ରାମରେ ବିଲରେ କାମ କରୁଥିବା ବେଳେ କଂସଲା ସେଠୀଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ସୁନାଫୁଲ ସେଠୀ ଓ ରଶ୍ମିତା ସେଠୀ ଗୁରୁତର ଆହତ ହୋଇ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ହାଟଡିହି ବ୍ଲକ୍ର ଡିମିରିଆ ଗ୍ରାମରେ ମିଥୁନ ରାଉଳ ଟ୍ରାକ୍ଟର ନେଇ ବିଲକୁ ଯାଉଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି।
କଟକ ଜିଲ୍ଲାର ନରସିଂହପୁର ବ୍ଲକ୍ ଅନ୍ତର୍ଗତ ନୂଆଗଡ଼ ଗ୍ରାମର ଦେବର୍ଚ୍ଚନ ସାହୁ (୫୫) ଛେଳି ଚରାଉଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଜୀବନ ବଞ୍ଚାଇହୋଇପାରିନଥିଲା।
ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବଜ୍ରପାତ ଦୁଇ ଚାଷୀଙ୍କ ଜୀବନ ନେଇଛି। ମୋରଡା ଥାନା ଅଞ୍ଚଳର ଘୋଳମୁହାଁ ଗ୍ରାମର ଜବା ବାସ୍କେ (୬୨) ଏବଂ ପାରିଆକୁଲି ଗ୍ରାମର ରବୀନ୍ଦ୍ର ବେହେରା ଓରଫ ବାପୁନ (୩୬) ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି।
ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ରବିବାର ରାତିରେ ଏକ ଘର ଉପରେ ବଜ୍ରପାତ ହେବାରୁ ଏକ ପରିବାରର ୮ ଜଣ ସଦସ୍ୟ ଆହତ ହୋଇଛନ୍ତି। ଏହି ଘଟଣାରେ ୩ଟି ଛେଳିର ମଧ୍ୟ ମୃତ୍ୟୁ ଘଟିଛି। ଆହତମାନଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି।
ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତ ଆଶଙ୍କା ଥିବା ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଓ ଘଡ଼ଘଡ଼ି ସମୟରେ ଖୋଲା ପଡ଼ିଆ, ବିଲ ଏବଂ ଗଛ ତଳେ ନ ରହିବା ସହ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।




