ପାରଳାଖେମୁଣ୍ଡି: ରାଜ୍ୟର ବିଭିନ୍ନ କୋର୍ଟକୁ ବୋମା ଧମକ ମିଳୁଥିବା ଘଟଣା ମଧ୍ୟରେ ଗୁରୁବାର ଗଜପତି ଜିଲ୍ଲା ଓ ସେସନ୍ସ କୋର୍ଟକୁ ମଧ୍ୟ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିବାରୁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନା ପାଇବା ପରେ ପୁଲିସ, ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ ଓ ସୁରକ୍ଷା ଟିମ୍ କୋର୍ଟ ପରିସରରେ ବ୍ୟାପକ ତଲାସି ଅଭିଯାନ ଚଳାଇଥିଲେ।
ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୭ଟା ୫୮ ମିନିଟ୍ରେ କୋର୍ଟର ରେଜିଷ୍ଟ୍ରାରଙ୍କ ଇ-ମେଲ୍କୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ଇ-ମେଲ୍ରେ ନିର୍ଦ୍ଦିଷ୍ଟ ସମୟରେ କୋର୍ଟ ପରିସର ଓ ଜଜ୍ଙ୍କ ଚାମ୍ବରରେ ବିସ୍ଫୋରଣ ଘଟାଇବାର ଧମକ ଦିଆଯାଇଥିଲା। ଏଥିରେ କିଛି ଉଗ୍ର ଓ ଉତ୍ତେଜନାମୂଳକ ଦାବି ମଧ୍ୟ ଉଲ୍ଲେଖ ଥିବା ଜଣାପଡ଼ିଛି।
ଧମକପୂର୍ଣ୍ଣ ଇ-ମେଲ୍ରେ ଅପରାହ୍ଣ ୧ଟା ୧୫ ମିନିଟ୍ରେ ବିସ୍ଫୋରଣ ହେବ ବୋଲି ଦାବି କରାଯାଇଥିଲା। ଏହା ସହ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମଧ୍ୟ ବାର୍ତ୍ତାରେ ଉଲ୍ଲେଖ ଥିଲା।
ଇ-ମେଲ୍ ପାଇବା ପରେ କୋର୍ଟ ରେଜିଷ୍ଟ୍ରାର ତୁରନ୍ତ ପୁଲିସକୁ ଅବଗତ କରିଥିଲେ। ଏହାପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ଦୃଷ୍ଟିରୁ ସମଗ୍ର କୋର୍ଟ ପରିସରକୁ ଖାଲି କରାଇଥିଲେ। ବୋମା ସ୍କ୍ୱାଡ୍ ଓ ଅନ୍ୟ ସୁରକ୍ଷାକର୍ମୀ ବିଭିନ୍ନ ସ୍ଥାନରେ ତନ୍ନତନ୍ନ ତଲାସି କରିଥିଲେ।
ତେବେ ପ୍ରାଥମିକ ଯାଞ୍ଚରେ କୋର୍ଟ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ସନ୍ଦିଗ୍ଧ ବସ୍ତୁ ମିଳିନାହିଁ। ପୁଲିସ ଇ-ମେଲ୍ର ଉତ୍ସ ଚିହ୍ନଟ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।




