ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଗୁରୁବାର ସନ୍ଧ୍ୟାରେ ରଥଟଣା କାର୍ଯ୍ୟ ଦିନ ପାଇଁ ଶେଷ କରାଯାଇଛି। ସନ୍ଧ୍ୟା ପ୍ରାୟ ୫ଟାରୁ ଆରମ୍ଭ ହୋଇଥିବା ରଥଟଣା ରାତି ପ୍ରାୟ ୭ଟା ୨୫ ମିନିଟ୍‌ରେ ବନ୍ଦ ହୋଇଥିଲା। ତିନି ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଅଗ୍ରସର ହୋଇଥିଲେ ମଧ୍ୟ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିନଥିଲେ। ଶୁକ୍ରବାର ପୂର୍ବାହ୍ନ ୯ଟାରୁ ପୁଣିଥରେ ଭକ୍ତମାନେ ରଥ ଟାଣିବାର ସୁଯୋଗ ପାଇବେ।

ବର୍ତ୍ତମାନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାର୍କେଟ୍‌ ଛକ ନିକଟରେ ଅଟକିଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରୀଚିକୋଟ ଅଞ୍ଚଳରେ ପହଞ୍ଚିଛି। ଅନ୍ୟପଟେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିଛି ବାଟ ଅତିକ୍ରମ କରିବା ପରେ ଅଟକିଯାଇଛି।

ରଥଟଣା ସମୟରେ ବଡ଼ଦାଣ୍ଡରେ ଭକ୍ତମାନଙ୍କ ଭିଡ଼ ଓ ଭକ୍ତିଭାବର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ‘ଜୟ ଜଗନ୍ନାଥ’ ଧ୍ୱନି, ଘଣ୍ଟ-ଘଣ୍ଟିର ନାଦ ଓ ହରିବୋଲରେ ସମଗ୍ର ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇଉଠିଥିଲା। ଲକ୍ଷାଧିକ ଭକ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ରଥ ଟାଣି ମହାପ୍ରଭୁଙ୍କ ଯାତ୍ରାର ସାକ୍ଷୀ ହୋଇଥିଲେ।

ରଥଟଣା ପୂର୍ବରୁ ପରମ୍ପରା ଅନୁଯାୟୀ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁବର୍ଣ୍ଣ ଖଡ଼ିକାରେ ତିନି ରଥରେ ‘ଛେରାପହଁରା’ ନୀତି ସମ୍ପନ୍ନ କରିଥିଲେ। ଏହି ପବିତ୍ର ନୀତି ମାଧ୍ୟମରେ ସେ ରଥକୁ ପରିଷ୍କାର କରି ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣର ବାର୍ତ୍ତା ଦେଇଥିଲେ।

ଏହି ଅବସରରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ମଧ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରଣାମ ଜଣାଇ ଦେଶ ଓ ବିଶ୍ୱରେ ଶାନ୍ତି, ସମୃଦ୍ଧି ଏବଂ ସର୍ବଜନଙ୍କ ମଙ୍ଗଳ କାମନା କରିଥିଲେ।