କୋରେଇ: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟା ରେଲୱେ ଓଭରବ୍ରିଜ୍‌ ନିକଟରେ ଏକ ଲଙ୍କା ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଟ୍ରକ୍‌ଟି ବ୍ରିଜ୍‌ର ଡିଭାଇଡର୍‌କୁ ଧକ୍କା ଦେଇ ଓଲଟି ପଡ଼ିବାରୁ ଚାଳକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍‌ଟି ଓଭରବ୍ରିଜ୍‌ ଉପରେ ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଲଙ୍କା ବୋଝେଇ ଟ୍ରକ୍‌ ମହାରାଷ୍ଟ୍ରରୁ କୋଲକାତା ଅଭିମୁଖେ ଯାଉଥିଲା। ତେନ୍ତୁଳିଖୁଣ୍ଟା ରେଲୱେ ଓଭରବ୍ରିଜ୍‌ ନିକଟରେ ଏକ ଅଜଣା ଗାଡ଼ି ଟ୍ରକ୍‌ଟିକୁ ସାଇଡ୍‌ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ର ଡିଭାଇଡର୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା।

ଆହତ ଚାଳକ, ତଦନ୍ତ ଆରମ୍ଭ

ଦୁର୍ଘଟଣାରେ ଟ୍ରକ୍‌ ଚାଳକ ଆହତ ହୋଇଛନ୍ତି। ଅନ୍ୟପଟେ, ଘଟଣା ସମ୍ପର୍କରେ ଖବର ପାଇ ଯାଜପୁର ରୋଡ୍‌ ଆରପିଏଫ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ଏବଂ ଅଜଣା ଗାଡ଼ି ସମ୍ପର୍କରେ ଆରପିଏଫ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ବ୍ରିଜ୍‌ ଉପରେ ଟ୍ରକ୍‌ଟି ବିପଦସଙ୍କୁଳ ଭାବେ ଝୁଲି ରହିଥିବାରୁ ଏହାକୁ ନେଇ ଅଞ୍ଚଳରେ ଆଶଙ୍କା ସୃଷ୍ଟି ହୋଇଛି।