କଟକ: କଟକ ରେଳଷ୍ଟେସନ ଅଞ୍ଚଳରୁ ୭ ବର୍ଷୀୟା ନାବାଳିକା ନିଖୋଜ ହେବା ପରେ ଚିନ୍ତା ବଢ଼ିଛି। ନାବାଳିକାଙ୍କୁ ଜଣେ ବୟସ୍କ ବ୍ୟକ୍ତି ନେଇଯାଉଥିବାର ଦୃଶ୍ୟ ଷ୍ଟେସନ ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, ନାବାଳିକାଙ୍କ ଘର କେନ୍ଦ୍ରାପଡ଼ା। ଗତକାଲି ସେ ପରିବାର ସହ କଟକ ରେଳଷ୍ଟେସନକୁ ଆସିଥିଲେ। ପରିବାର ଲୋକେ ଷ୍ଟେସନ ବାହାରେ ରହୁଥିବା ବେଳେ ହଠାତ୍ ନାବାଳିକା ଜଣକ ସେଠାରୁ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଷ୍ଟେସନ ଏବଂ ଏହାର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଛି। ଫୁଟେଜରେ ନାବାଳିକା ଜଣକ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଥିବା ଦେଖାଯାଇଛି। ଅନ୍ୟ ଏକ ଫୁଟେଜରେ ସେହି ବ୍ୟକ୍ତି ନାବାଳିକାଙ୍କ ସହ ଏକ ଦୋକାନରୁ କିଛି ସାମଗ୍ରୀ କିଣୁଥିବା ଦୃଶ୍ୟ ମଧ୍ୟ ରହିଛି।
ତେବେ ଏପର୍ଯ୍ୟନ୍ତ ପୁଲିସ ନାବାଳିକାଙ୍କ ସନ୍ଧାନ ପାଇପାରିନାହିଁ କିମ୍ବା ସିସିଟିଭିରେ ଦେଖାଯାଇଥିବା ବ୍ୟକ୍ତିଙ୍କ ପରିଚୟ ନିଶ୍ଚିତ କରିପାରିନାହିଁ। ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।
ନାବାଳିକାଙ୍କୁ ଖୋଜିବା ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ କଟକ ପୁଲିସ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିବା ଜଣାପଡ଼ିଛି। ଏଥିସହ କଟକ ଜିଲ୍ଲାର ୨୨ଟି ଥାନା ଏବଂ ଅନ୍ୟ ପୁଲିସ ଜିଲ୍ଲାଗୁଡ଼ିକୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି।
ଏନେଇ ଆଇନଜୀବୀ ଦୀପ୍ତିରଞ୍ଜନ ମହାପାତ୍ର କହିଛନ୍ତି, ଏଭଳି ଘଟଣାରେ ପ୍ରତ୍ୟେକ ମିନିଟ୍ ଗୁରୁତ୍ୱପୂର୍ଣ୍ଣ। ନାବାଳିକାଙ୍କୁ ଖୋଜିବାରେ ବିଳମ୍ବ ହେଲେ ତାଙ୍କ ପ୍ରତି ବିପଦ ବଢ଼ିପାରେ। ତେଣୁ ତୁରନ୍ତ ତଦନ୍ତକୁ ତ୍ୱରାନ୍ୱିତ କରି ନାବାଳିକାଙ୍କୁ ଉଦ୍ଧାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି।




