ସେମିଳିଗୁଡା: ବିଶ୍ୱ ପରିବେଶ ଦିବସ ଅବସରରେ କୋରାପୁଟିଆ ଜନସୁରକ୍ଷା ସଂଘ ଏବଂ ସେଣ୍ଟର୍ ଫର୍ କ୍ଲାଇମେଟିକ ଜଷ୍ଟିସ୍‌ ପକ୍ଷରୁ ଆୟୋଜିତ ‘କୋରାପୁଟ ଜିଲ୍ଲା ପ୍ରାକୃତିକ ସମ୍ପଦ ସୁରକ୍ଷା ସମ୍ମିଳନୀ’ରେ ରାଜ୍ୟରେ ନୂଆ ବକ୍ସାଇଟ୍ ଖଣି ଖନନ ଉପରେ ନିଷେଧାଦେଶ ଜାରି କରିବାକୁ ଦାବି ଉଠିଛି। ବିଶେଷ କରି କୋରାପୁଟର ମାଳି ପର୍ବତ ସମେତ ବକ୍ସାଇଟ୍ ସମୃଦ୍ଧ ଅଞ୍ଚଳରେ ନୂଆ ଖଣି ଲିଜ୍ ପ୍ରଦାନ ବନ୍ଦ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି।

ସମ୍ମିଳନୀରେ ଯୋଗଦେଇଥିବା ବକ୍ତାମାନେ ଅଭିଯୋଗ କରିଥିଲେ ଯେ ଖଣି ଲିଜ୍ ପ୍ରକ୍ରିୟାରେ ସ୍ଥାନୀୟ ଆଦିବାସୀ ଓ ଜଙ୍ଗଲ ନିର୍ଭରଶୀଳ ସମୁଦାୟଙ୍କ ଜୀବିକା, ଜଳସମ୍ପଦ ଓ ପରିବେଶ ଉପରେ ପ୍ରଭାବ ପଡ଼ୁଛି। ସେମାନଙ୍କ ମତରେ, ଖଣି ଖନନ ବିକାଶ ନାମରେ ପ୍ରାକୃତିକ ସମ୍ପଦ କ୍ଷୟ ଏବଂ ସ୍ଥାନୀୟ ଲୋକଙ୍କ ବିସ୍ଥାପନକୁ ବଢ଼ାଇ ଦେଉଛି।

ସେଣ୍ଟର୍ ଫର୍ କ୍ଲାଇମେଟ୍ ଜଷ୍ଟିସ୍‌ର ସଂସ୍ଥାପକ ପ୍ରଫୁଲ୍ଲ ସାମନ୍ତରା କହିଥିଲେ ଯେ ଓଡ଼ିଶାର କିଛି ପାହାଡ଼ ଅଞ୍ଚଳରେ ଦେଶର ବଡ଼ ଅଂଶ ବକ୍ସାଇଟ୍ ଭଣ୍ଡାର ରହିଛି ଏବଂ ସେଗୁଡ଼ିକ ଜଳଧାରଣ ଓ ପରିବେଶୀୟ ସନ୍ତୁଳନ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେ ପୂର୍ବରୁ ହୋଇଥିବା ଖଣି ଖନନର ପ୍ରଭାବ ଆକଳନ ଓ ପ୍ରଭାବିତଙ୍କୁ ନ୍ୟାୟ ଦେବା ଉପରେ ଜୋର ଦେଇଥିଲେ।

ସମ୍ମିଳନୀରେ ବିଭିନ୍ନ ଜନ ଆନ୍ଦୋଳନ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ଖଣି ବିରୋଧୀ ଆନ୍ଦୋଳନକୁ ଆଗକୁ ବଢ଼ାଇବା ସହ ନୂଆ ବକ୍ସାଇଟ୍ ଲିଜ୍‌ଗୁଡ଼ିକୁ ପୁନର୍ବିଚାର କରିବା ଦାବି କରିଥିଲେ।

ଏହା ସହିତ, ପ୍ରାକୃତିକ ସମ୍ପଦ ସୁରକ୍ଷା ଆନ୍ଦୋଳନ ସହ ଜଡ଼ିତ କର୍ମୀମାନଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ପ୍ରତ୍ୟାହାର ଏବଂ ସ୍ଥାନୀୟ ସମୁଦାୟଙ୍କ ସମ୍ମତି ବିନା ଖଣି ପ୍ରକଳ୍ପ ଆଗେଇ ନ ନେବାକୁ ମଧ୍ୟ ଦାବି କରାଯାଇଛି।