କାଳିଆପାଣି: ଯାଜପୁର ଜିଲ୍ଲାର କ୍ରୋମ୍ ଉପତ୍ୟକା ଅଞ୍ଚଳର ଖଣି ପ୍ରଭାବିତ ଲୋକଙ୍କ ପାଇଁ କାଳିଆପାଣିରେ ଏକାସାଙ୍ଗରେ ୪ଟି ଜନହିତକର ସ୍ୱାସ୍ଥ୍ୟ ପ୍ରକଳ୍ପ ଲୋକାର୍ପିତ ହୋଇଛି। ପୁଷ୍ଟି ସାଧନ କେନ୍ଦ୍ର (ଏନ୍ଆର୍ସି), ମା’ଗୃହ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍ସି) ଏବଂ ଜିନ୍ଦଲ ସ୍ୱାସ୍ଥ୍ୟ ପ୍ରତିଷ୍ଠା କେନ୍ଦ୍ର ଗୋଟିଏ କୋଠାରେ ନିର୍ମାଣ କରାଯାଇଛି।
ସମବାୟ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ଏହି ସମସ୍ତ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଓ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଖଣି ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ
ଉଦ୍ଘାଟନ ଅବସରରେ ମନ୍ତ୍ରୀ ବଳସାମନ୍ତ କହିଥିଲେ, ଖଣି ପାରିପାର୍ଶ୍ୱିକ ଅଞ୍ଚଳର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ପ୍ରତି ସେବା ଜାରି ରହିବ ବୋଲି ସେ କହିଥିଲେ।
ଏହି ଅବସରରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ସୁକିନ୍ଦା ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି, ଦାନଗଦୀ ବିଡିଓ ପ୍ରଦୀପ କୁମାର ସେଠୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ଜୟଦେବ ନନ୍ଦ, ଡିପିଏମ୍ ବିଶ୍ୱରଞ୍ଜନ ରଥ ଓ ଡିଏମ୍ଏଫ୍ ଟିମ୍ ଲିଡର ଡା. ସତ୍ୟସ୍ୱରୂପ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧି ଉପସ୍ଥିତ ଥିଲେ।
ସାଧାରଣ ସମାବେଶରେ ମୌଳିକ ସୁବିଧା ଉପରେ ଆଲୋଚନା
ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାଳିଆପାଣିରେ ଏକ ସାଧାରଣ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ମନ୍ତ୍ରୀ ବଳସାମନ୍ତ ଓ ସାଂସଦ ବେହେରା ଯୋଗଦେଇ ଅଞ୍ଚଳବାସୀଙ୍କ ମୌଳିକ ସୁବିଧା ପୂରଣ ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଥିଲେ।
ସମାବେଶରେ ଶତାଧିକ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ଥିଲେ।




