ବ୍ରହ୍ମପୁର/ଏରସମା: ଗଣେଶ ପୂଜାର ମୂର୍ତ୍ତି ବିସର୍ଜନ ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ। ଗଞ୍ଜାମ ଜିଲ୍ଲାରେ ଦୁଇଟି ପୃଥକ ଘଟଣାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ, ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଛି।
ଗଞ୍ଜାମରେ ୩ ଛାତ୍ରଙ୍କ ମୃତ୍ୟୁ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଦୁଇ ଛାତ୍ର ବୁଡ଼ିଯାଇଥିଲେ। ମୃତକ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳର ଆଦର୍ଶ ସାହୁ ଓ ଗାୟତ୍ରୀ ନଗରର ପ୍ରୀତମ ସାମେଲି। ଉଭୟଙ୍କ ବୟସ ୧୪ ବର୍ଷ।
ବିସର୍ଜନ ପାଇଁ ଅନ୍ୟମାନଙ୍କ ସହ ନଦୀକୁ ଯାଇଥିବା ବେଳେ ଦୁହେଁ ଗଭୀର ପାଣିକୁ ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
ଅନ୍ୟ ଏକ ଘଟଣାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧିଖଣ୍ଡି ଅଞ୍ଚଳର ଏକ ପୋଖରୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଷ୍ଟମ ଶ୍ରେଣୀର ଛାତ୍ର ସିତାଂଶୁ ଜେନା ବୁଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
ଏରସମାରେ ୪ ଜଣଙ୍କ ମୃତ୍ୟୁ
ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳର ପାଣ୍ଡବା ଗୋପାଳପୁର ନିକଟ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୪ ଜଣ ପାଣିରେ ଭାସିଯାଇଥିଲେ। ଗାଁର ଏକ କ୍ଲବ୍ର ସଦସ୍ୟଙ୍କ ସହ ସେମାନେ ବିସର୍ଜନ ପାଇଁ ଯାଇଥିଲେ।
ପ୍ରବଳ ପାଣି ସ୍ରୋତରେ ସେମାନେ ଭାସିଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ, ସ୍ଥାନୀୟ ଲୋକ ଓ ଡାଇଭରମାନେ ଖୋଜାଖୋଜି କରି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ହସ୍ପିଟାଲ ନେବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗଭୀର କିମ୍ବା ଅଜଣା ଜଳାଶୟରେ ବିସର୍ଜନ ନକରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି।




