ସମ୍ବଲପୁର: ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ମଙ୍ଗଳବାର ଦୁଇଟି ପର୍ଯ୍ୟାୟରେ ଆଉ ୬ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଛନ୍ତି। ଫଳରେ ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ବନ୍ଧର ମୋଟ ୧୦ଟି ଫାଟକ ଖୋଲା ରହିଥିବା ବେଳେ ସେଥିରୁ ବାମ ପାର୍ଶ୍ୱର ୭ଟି ଓ ଡାହାଣ ପାର୍ଶ୍ୱର ୩ଟି ଗେଟ୍‌ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି।

ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧,୪୭,୫୪୬ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ବିଭିନ୍ନ ମାର୍ଗ ଦେଇ ୧,୫୯,୫୮୧ କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଥିଲା। ସେହି ସମୟରେ ତଳମୁଣ୍ଡର ବେଲଗାଁ ଗେଜ୍‌ ଷ୍ଟେସନ୍‌ରେ ୧୩,୬୦୦ କ୍ୟୁସେକ୍, ପଥର୍ଲାରେ ୩୮,୮୦୭ କ୍ୟୁସେକ୍, ଖଇରମାଳରେ ୧,୭୦,୦୦୦ କ୍ୟୁସେକ୍, ବରମୂଳରେ ୧,୩୫,୭୫୦ କ୍ୟୁସେକ୍ ଏବଂ ମୁଣ୍ଡଳିରେ ୧,୫୨,୩୦୪ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିବା ସୂଚନା ମିଳିଛି।

ପୂର୍ବରୁ ବନ୍ଧର ୪ଟି ଗେଟ୍‌ ଖୋଲା ଥିଲା। ଜଳସ୍ତର ବୃଦ୍ଧି ପାଇବା ପରେ ଦିନ ୧୨ଟା ୫୫ ମିନିଟରେ ଆଉ ୪ଟି ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରେ ଦ୍ୱିତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ୩୫ ମିନିଟ ଓ ୫ଟା ୪୦ ମିନିଟରେ ଅତିରିକ୍ତ ୨ଟି ଗେଟ୍‌ ଖୋଲାଯାଇଥିଲା।

ଗେଟ୍‌ ଖୋଲାଯିବା ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୪୭ ଫୁଟ୍ ରହିଥିଲା। ଗତ ୨୪ ଘଣ୍ଟାରେ ହୀରାକୁଦର ଉପରମୁଣ୍ଡ ଅଞ୍ଚଳରେ ୨୫.୦୫ ମିଲିମିଟର୍ ଏବଂ ତଳମୁଣ୍ଡରେ ୧୮.୨୭ ମିଲିମିଟର୍ ବର୍ଷା ରେକର୍ଡ ହୋଇଥିବା ସୂଚନା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ପକ୍ଷରୁ ଦିଆଯାଇଛି।

ବନ୍ଧରୁ ପର୍ଯ୍ୟାୟକ୍ରମେ ବନ୍ୟାଜଳ ନିଷ୍କାସନ ଜାରି ଥିବାରୁ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।