ଭବାନୀପାଟଣା: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଅକ୍ଟୋବର ୨୮ ତାରିଖ ବୁଧବାର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ଏହି ନିର୍ଦ୍ଦେଶ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ। ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ୍‌ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), କେନ୍ଦ୍ରୀୟ ବିଦ୍ୟାଳୟ (KV), ଏକଲବ୍ୟ ମଡେଲ୍‌ ଆବାସିକ ବିଦ୍ୟାଳୟ (EMRS) ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏହାର ଅନ୍ତର୍ଭୁକ୍ତ।

ତେବେ ସ୍କୁଲ୍‌ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିଜ ନିଜ ଅନୁଷ୍ଠାନରେ ନିୟମିତ କାର୍ଯ୍ୟ କରିବାକୁ କୁହାଯାଇଛି। ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବା ସହ ଆବଶ୍ୟକ ପ୍ରଶାସନିକ କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ରହିଛି।

ବାତ୍ୟାଜନିତ ପ୍ରବଳ ବର୍ଷା ଯୋଗୁଁ ଜଳ ଜମିବା, ରାସ୍ତାଘାଟରେ ଯାତାୟାତ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କ ଯାତାୟାତ ସମୟରେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି।

ଜିଲ୍ଲାର ପାଣିପାଗ ସ୍ଥିତି ଓ ବର୍ଷା ସମ୍ପର୍କିତ ସୂଚନା ଉପରେ ପ୍ରଶାସନ ନଜର ରଖିଛି। ଅଭିଭାବକମାନଙ୍କୁ ଜିଲ୍ଲା ପ୍ରଶାସନ ଓ ନିଜ ଶିକ୍ଷାନୁଷ୍ଠାନ ପକ୍ଷରୁ ଜାରି ହେଉଥିବା ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।