କେନ୍ଦୁଝର: ଖୁଦପୁଟୁଳି ଗ୍ରାମରେ ଘଟିଥିବା ସଶସ୍ତ୍ର ଡକାୟତି ଓ ହତ୍ୟା ମାମଲାରେ କେନ୍ଦୁଝର ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘାଟଗାଁ ଥାନା ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବା ପରେ ସୋମବାର କୋର୍ଟଚାଲାଣ କରିଛି।

ପୁଲିସ ସୂଚନା ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ୨ ରାତିରେ ଖୁଦପୁଟୁଳି ଗ୍ରାମର ଜତୀନ୍ଦ୍ର ମହାନ୍ତଙ୍କ ଘରେ କିଛି ସଶସ୍ତ୍ର ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ପଶିଥିଲେ। ଘରେ ଲୁଟ୍‌ପାଟ କରୁଥିବା ବେଳେ ଜତୀନ୍ଦ୍ର ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ସେ ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଗଷ୍ଟ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ପରେ ଘାଟଗାଁ ଥାନାରେ କେସ୍ ନମ୍ବର ୪୦୮/୨୦୨୬ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ସିସିଟିଭି ଫୁଟେଜ୍‌ ସହ ଅନ୍ୟାନ୍ୟ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ତଦନ୍ତରେ ଘଟଣା ସହ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଛି। ମାମଲାରେ ଲୁଟ୍‌ର ପରିମାଣ, ଅଭିଯୁକ୍ତମାନଙ୍କ ଭୂମିକା ଓ ଅନ୍ୟାନ୍ୟ ପ୍ରମାଣ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।