ଓଡ଼ିଶାର ଶିଳ୍ପ ଓ ଜଳ ଭିତ୍ତିଭୂମି କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ବଡ଼ ପ୍ରକଳ୍ପ। ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ପ୍ରାୟ ୧,୦୦୦ କୋଟି ଟଙ୍କା ବ୍ୟୟରେ ସମୁଦ୍ର ଜଳ ବିଶୋଧନ ପ୍ଲାଣ୍ଟ (Desalination Plant) ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ସମୁଦ୍ର ଜଳକୁ ବିଶୋଧନ କରି ଶିଳ୍ପ କ୍ଷେତ୍ରରେ ବ୍ୟବହାରଯୋଗ୍ୟ ମଧୁର ଜଳରେ ପରିଣତ କରାଯିବ।
ଏହି ପ୍ରକଳ୍ପ ପାଇଁ ନଭେମ୍ବର ୧୨ରେ ରାଜ୍ୟ ସରକାରଙ୍କ IDCO, ଅନ୍ତର୍ଜାତୀୟ ଅର୍ଥ ନିଗମ (IFC) ଏବଂ ରାଜ୍ୟ PPP ସେଲ୍ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କିତ ୬୬ତମ ସଶକ୍ତ କମିଟି ବୈଠକରେ ଏହି ଚୁକ୍ତି ହୋଇଥିଲା।
ଗୋପାଳପୁର ଶିଳ୍ପାଞ୍ଚଳରେ ଆଗାମୀ ଦିନରେ ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ ଓ ଅନ୍ୟାନ୍ୟ ଶିଳ୍ପର ବିକାଶ ହେବାର ଯୋଜନା ରହିଛି। ଏହାଦ୍ୱାରା ଜଳର ଚାହିଦା ବଢ଼ିବା ସମ୍ଭାବନା ଥିବାରୁ ଏହି ପ୍ଲାଣ୍ଟ ଶିଳ୍ପାଞ୍ଚଳର ଦୀର୍ଘମିଆଦୀ ଜଳ ଆବଶ୍ୟକତା ପୂରଣରେ ସହାୟକ ହେବ। ପ୍ରସ୍ତାବିତ ପ୍ରକଳ୍ପର କ୍ଷମତା ୧୦୦ ମିଲିୟନ୍ ଲିଟର ପ୍ରତିଦିନ (MLD) ରଖିବା ନେଇ ପୂର୍ବରୁ ଯୋଜନା ହୋଇଥିବା ବେଳେ ଚୂଡ଼ାନ୍ତ କ୍ଷମତା ଓ ପର୍ଯ୍ୟାୟ ନିର୍ଦ୍ଧାରଣ ପ୍ରକ୍ରିୟା ଜାରି ରହିଛି।
ଏହି ପ୍ରକଳ୍ପକୁ Public-Private Partnership (PPP) ମଡେଲ୍ରେ କାର୍ଯ୍ୟକାରୀ କରାଯିବ। IFC ପ୍ରକଳ୍ପର ଆର୍ଥିକ ଓ ବୈଷୟିକ ଢାଞ୍ଚା ପ୍ରସ୍ତୁତ କରିବାରେ ପରାମର୍ଶ ଦେବ। ସମୁଦ୍ରରୁ ଜଳ ଆଣିବା, ବିଶୋଧନ ପରେ ଶିଳ୍ପାଞ୍ଚଳକୁ ଯୋଗାଣ, ବିଦ୍ୟୁତ୍ ବ୍ୟବସ୍ଥା ଓ ବର୍ଜ୍ୟ ଲୁଣିଆ ଜଳର ନିଷ୍କାସନ ଭଳି ବିଷୟରେ ବୈଷୟିକ ଅଧ୍ୟୟନ ହେବ।
ଏହି ବୈଠକରେ IFC ସହଯୋଗରେ ଚିହ୍ନଟ ହୋଇଥିବା ପ୍ରାୟ ୧୫,୪୯୮ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ନୀତିଗତ ଅନୁମୋଦନ ମିଳିଛି। ଏହାବ୍ୟତୀତ ୮୩୧.୬୮ କୋଟି ଟଙ୍କାର ଆଉ ୫ଟି ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ଦିଆଯାଇଛି। ଏହା ସହିତ ମୋଟ ୧୬,୩୨୯ କୋଟି ଟଙ୍କାରୁ ଅଧିକ ନୂଆ ଭିତ୍ତିଭୂମି ପ୍ରକଳ୍ପକୁ ଆଗକୁ ବଢ଼ାଇବାର ରାସ୍ତା ଖୋଲିଛି।




