ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ଦାବିରେ ଆନ୍ଦୋଳନ କରୁଥିବା ଯୁବ ନେତୃତ୍ୱାଧୀନ ‘Cockroach Janta Party (CJP)’ର ହଜାର ହଜାର ସମର୍ଥକ ସୋମବାର ସଂସଦ ଅଭିମୁଖେ ପଦଯାତ୍ରା କରିବାକୁ ଉଦ୍ୟମ କରିଥିଲେ। ପୁଲିସ ପକ୍ଷରୁ ମାର୍ଚ୍ଚ ଉପରେ ପୂର୍ବରୁ ପ୍ରତିବନ୍ଧକ ଲଗାଯାଇଥିଲେ ମଧ୍ୟ ବିକ୍ଷୋଭକାରୀମାନେ ଏହାକୁ ଅମାନ୍ୟ କରି ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

କେନ୍ଦ୍ରୀୟ ଦିଲ୍ଲୀରେ ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ପୁଲିସ ଟିୟର ଗ୍ୟାସ୍‌ ବ୍ୟବହାର କରିବା ସହ ଲାଠିଚାର୍ଜ କରିଥିଲା। ଅନେକ ବିକ୍ଷୋଭକାରୀ ଲାଠିଚାର୍ଜରେ ଆହତ ହୋଇଥିବା ଦାବି କରିଛନ୍ତି। ଘଟଣାକୁ ନେଇ ପୁଲିସ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ କେତେକ ବିକ୍ଷୋଭକାରୀ ପୁଲିସ ଉପରକୁ ପଥର ଫିଙ୍ଗିଥିବା ମଧ୍ୟ ଖବର ମିଳିଛି।

ଗତ କିଛି ସପ୍ତାହ ଧରି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଓ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଦାବିକୁ ନେଇ ଏହି ଆନ୍ଦୋଳନ ଚାଲିଆସୁଛି। ଏବେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ବିରୋଧରେ ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଚର୍ଚ୍ଚିତ ଜନଆନ୍ଦୋଳନ ମଧ୍ୟରୁ ଗୋଟିଏ ଭାବେ ଉଭା ହୋଇଛି।

ଆନ୍ଦୋଳନକୁ ସମର୍ଥନ କରୁଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ତାଙ୍କ ଅନଶନର ୨୧ତମ ଦିନରେ ପୁଲିସ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରେ ଆନ୍ଦୋଳନ ଆହୁରି ଗତି ପାଇଥିଲା। ତାଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ହସ୍ପିଟାଲରେ ଥାଇ ମଧ୍ୟ ତାଙ୍କ ଅନଶନ ଜାରି ରହିଛି। ସୋମବାର ୱାଙ୍ଗଚୁକ ଡାକ୍ତରମାନଙ୍କୁ ଡିସ୍‌ଚାର୍ଜ କରିବାକୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ସେ ମାର୍ଚ୍ଚରେ ସାମିଲ ହୋଇପାରିବେ। ତେବେ ତାଙ୍କୁ ଅନୁମତି ମିଳିନଥିଲା।

‘Cockroach Janta Party’ ନାମଟି ଭାରତର ପ୍ରଧାନ ବିଚାରପତିଙ୍କ ଏକ ବିବାଦୀୟ ମନ୍ତବ୍ୟ ପରେ ଚର୍ଚ୍ଚାକୁ ଆସିଥିଲା। ଏକ ଶୁଣାଣି ସମୟରେ ବେକାର ଯୁବକଙ୍କ ଏକ ଅଂଶଙ୍କୁ “cockroaches” ସହ ତୁଳନା କରାଯାଇଥିବାରୁ ବ୍ୟାପକ ସମାଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ଆନ୍ଦୋଳନକାରୀମାନେ ସେହି ଶବ୍ଦକୁ ନିଜ ଆନ୍ଦୋଳନର ପ୍ରତୀକ ଭାବେ ଗ୍ରହଣ କରିଥିଲେ।

ପୁଲିସ ପୂର୍ବରୁ ସଂସଦ ଅଭିମୁଖେ ମାର୍ଚ୍ଚ ପାଇଁ ଅନୁମତି ନ ଦେବା ସ୍ପଷ୍ଟ କରିଥିଲେ ମଧ୍ୟ, ସୋମବାର ସକାଳୁ ଦିଲ୍ଲୀର ଜନ୍ତର ମନ୍ତରରେ ହଜାର ହଜାର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ବିଭିନ୍ନ ପେସାର ଲୋକ ଏକତ୍ରିତ ହୋଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ବିକ୍ଷୋଭକାରୀମାନେ ଆନ୍ଦୋଳନ ଜାରି ରଖିଥିଲେ।